ବାରିପଦା /କରଞ୍ଜିଆ: ରାଇରଙ୍ଗପୁର ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ କରଞ୍ଜିଆ ପୋଲିସ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ସହରର ବିଭିନ୍ନ ମଦ ଦୋକାନ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ସ୍ୱତନ୍ତ୍ର ଚଢ଼ାଉ ଓ ଯାଞ୍ଚ ଅଭିଯାନ ଚାଲିଥିଲା। ଏହି ଅଭିଯାନ ସମୟରେ ମଦ୍ୟପ ଅବସ୍ଥାରେ ମୋଟରସାଇକେଲ ଚଳାଉଥିବା ୪ ଜଣ ଚାଳକଙ୍କୁ ଅଟକ ରଖାଯିବା ସହ ସେମାନଙ୍କର ୪ଟି ମୋଟରସାଇକେଲ ଜବତ କରାଯାଇଛି। ପୋଲିସ ପକ୍ଷରୁ ଗୋଲେଇ ଛକ, ମାଣିକା ଛକ, ବାଇପାସ୍ ଛକ, ପୁରୁଣା ବସ୍ଷ୍ଟାଣ୍ଡ, ଡୋଲା ମେଳଣ ପଡ଼ିଆ ଏବଂ ଟାଟୋ ଅଞ୍ଚଳରେ ଥିବା ଏଫ୍ଏଲ୍ ‘ଅନ୍’ ଓ ‘ଅଫ୍’ ମଦ ଦୋକାନଗୁଡ଼ିକରେ ଯାଞ୍ଚ କରାଯାଇଥିଲା। ଦୋକାନ ମାଲିକମାନଙ୍କୁ ନିର୍ଦ୍ଧାରିତ ସମୟରେ ଦୋକାନ ବନ୍ଦ କରିବା, ଦୋକାନ ଭିତରେ କିମ୍ବା ବାହାରେ ମଦ୍ୟପାନକୁ ପ୍ରଶ୍ରୟ ନ ଦେବା ଏବଂ ସାର୍ବଜନୀନ ସ୍ଥାନରେ ଖାଲି ମଦ ବୋତଲ ନ ଫିଙ୍ଗିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ଅଭିଯାନ ବେଳେ ମଦ୍ୟପ ଅବସ୍ଥାରେ ଗାଡ଼ି ଚଳାଉଥିବା କଙ୍କଡ଼ା ଗ୍ରାମର ଯୁଗଳ ନାୟକ, କରଞ୍ଜିଆର ମନିର ହୁସେନ, ତାଟୋର ପ୍ରଶାନ୍ତ ନାୟକ ଓ ପାଟଣା ଅଞ୍ଚଳର ସଞ୍ଜୟ କୁମାର ବେହେରାଙ୍କୁ ପୋଲିସ ଅଟକ ରଖିଥିଲା। ସେମାନଙ୍କ ବିରୋଧରେ ମାମଲା ନଂ–୨୫୯, ୨୬୦, ୨୬୧ ଓ ୨୬୨/୨୦୨୬ ରୁଜୁ କରାଯାଇଛି।

ଆଇନଗତ ପ୍ରକ୍ରିୟା, ନୋଟିସ ପ୍ରଦାନ ଓ ଆଙ୍ଗୁଠିଛାପ ସଂଗ୍ରହ ପରେ ସେମାନଙ୍କୁ ପରିବାର ସଦସ୍ୟଙ୍କ ଜିମାରେ ଛାଡ଼ି ଦିଆଯାଇଥିଲା। ଏହି ଅବସରରେ ପୋଲିସ ସାଧାରଣ ଲୋକଙ୍କୁ ମୋଟରସାଇକେଲ ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା, ଚାରିଚକିଆ ଗାଡ଼ିରେ ସିଟ୍ ବେଲ୍ଟ ବ୍ୟବହାର କରିବା ଏବଂ ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍ କିମ୍ବା ବ୍ଲୁଟୁଥ୍ ଡିଭାଇସ୍ ବ୍ୟବହାର ନ କରିବାକୁ ସଚେତନ କରିଥିଲା। ଆସନ୍ତା ଅଗଷ୍ଟ ୨୦୨୬ ମାସରୁ ହେଲମେଟ୍ ଯାଞ୍ଚକୁ ଅଧିକ କଡ଼ାକଡ଼ି କରାଯିବ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସ୍ୱତନ୍ତ୍ର ଅଭିଯାନରେ କରଞ୍ଜିଆ ଏସ୍ଡିପିଓ ନବକୃଷ୍ଣ ନାୟକଙ୍କ ତତ୍ତ୍ୱାବଧାନରେ ଆଇଆଇସି ମୃତ୍ୟୁଞ୍ଜୟ ପ୍ରଧାନ, ଏସ୍ଆଇ ଭାରତୀ ବାରିକ, ଏଏସ୍ଆଇ ସାଲଖାନ ହେମ୍ବ୍ରମ, ସନ୍ତୋଷ ନାୟକଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ। ପୋଲିସ କହିଛି, ସଡ଼କ ସୁରକ୍ଷା ଓ ସାମାଜିକ ଶୃଙ୍ଖଳା ରକ୍ଷା ପାଇଁ ଏଭଳି ସ୍ୱତନ୍ତ୍ର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।
