ଜଳନ୍ଧରର ଗୁରୁଦ୍ୱାର ନିକଟରେ ଏଏପି ନେତା ଲକି ଓବରାଏଙ୍କୁ ଗୁଳିକରି ହତ୍ୟା

Spread the love

ଜଳନ୍ଧର: ପଞ୍ଜାବ ଜଳନ୍ଧରରେ ଆମ ଆଦମୀ ପାର୍ଟି(ଏଏପି)ର ଜଣେ ସ୍ଥାନୀୟ ନେତାଙ୍କୁ ଶୁକ୍ରବାର ଦିନ ଗୁଳିକରି ହତ୍ୟା କରାଯାଇଛି। ସେ ହେଲେ ୩୮ ବର୍ଷୀୟ ଲକି ଓବରାଏ। ଲକି ଜଳନ୍ଧରର ମଡେଲ ଟାଉନ ବ୍ୟସ୍ତବହୁଳ ଅଞ୍ଚଳର ଏକ ଗୁରୁଦ୍ୱାର ନିକଟରେ ସକାଳ ୭ଟା ୩୫ରେ ନିଜ ମହିନ୍ଦ୍ରା ଥାର ଗାଡ଼ିରେ ବସିିବା ବେଳେ ପୂର୍ବରୁ ମୋଟର ସାଇକେଲରେ ଆସି ଅପେକ୍ଷା କରିଥିବା ଦୁଇଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା। ଏହା ପରେ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କ ଦେହରେ ୮ ରାଉଣ୍ଡ ଗୁଳି ବାଜିଥିବା ପୋଲିସ କହିଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚି ଗୁରୁଦ୍ୱାର ସାହିବର ଚାରିପାଖକୁ କର୍ଡନ କରିବା ତଦନ୍ତ ଚଳାଇଛନ୍ତି। ହତ୍ୟାକାଣ୍ଡର କାରଣ ହଠାତ୍ ଜଣାପଡ଼ିନାହିଁ। ଅପରାଧୀଙ୍କୁ ଧରିବା ଲାଗି ପୋଲିସ ତଲାସି ଅଭିଯାନ ଚଳାଇଛି। ଲକିଙ୍କ ପତ୍ନୀ ପୂର୍ବରୁ ଏଏପି ପ୍ରାର୍ଥୀ ଭାବେ ପୌର ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଏହି ଘଟଣା ଉପରେ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!