ପୁରୀରୁ ଫେରିଲେ ରାଷ୍ଟ୍ରପତି; ମହାପ୍ରଭୁଙ୍କ ଦର୍ଶନ ସହ ଶ୍ୱେତଗଙ୍ଗାରେ କଲେ ପିଣ୍ଡଦାନ

Spread the love

ପୁରୀ: ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ସକାଳେ ବଡ଼ଦେଉଳ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏହା ପୂର୍ବରୁ ସେ ତୀର୍ଥପୁଷ୍କରିଣୀ ଶ୍ୱେତଗଙ୍ଗାରେ ପିଣ୍ଡଦାନ କରିଥିଲେ। ମଙ୍ଗଳବାର ଅପରାହ୍ଣରେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଶ୍ରୀମତୀ ମୁର୍ମୁ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ ଲୋକଭବନରେ ପରିବାର ସହ ରାତ୍ରୀଯାପନ କରିଥିଲେ। ଆଜି ସକାଳ ୬ଟା ୫୦ରେ ଲୋକଭବନରୁ ବାହାରି ବଡ଼ଦାଣ୍ଡ ଦେଇ ବାଲିସାହିସ୍ଥ ଶ୍ୱେତଗଙ୍ଗାରେ ପହଞ୍ଚିଥିଲେ। ସେଠାରେ ସେ ବିଧିବିଧାନ ସହକାରେ ନିଜର ପରଲୋକଗତ ପ୍ରିୟପରିଜନଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ। ସେଠାରୁ ସେ ସକାଳ ୭ଟା ୪୦ରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସିଂହଦ୍ୱାରଠାରେ ପହଞ୍ଚିଥିଲେ। ପୁରୀର ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ, ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପଟ୍ଟଯୋଶୀ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟବୃନ୍ଦ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଶ୍ରୀମତୀ ମୁର୍ମୁ ଅରୁଣସ୍ତମ୍ଭକୁ ପ୍ରଣାମ କରି ବାଇଶିପାହାଚ, ପାଟଅଗଣା, ସାତପାହାଚ, ନାଟମଣ୍ଡପ, ଜୟବିଜୟ ଦ୍ୱାର, ଜଗମୋହନ ଦେଇ ଗର୍ଭଗୃହରେ ପ୍ରବେଶ କରିଥିଲେ। ସେଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ସାତପାହାଚରେ ବେଦପାଠ କରାଯାଇଥିଲା। ଏହା ସହ ରାଷ୍ଟ୍ରପତି ବେଢ଼ାରେ ମା’ ବିମଳା, ମହାଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ। ତାଙ୍କ ସହ କୌଳିକ ପଣ୍ଡା ଉପସ୍ଥିତ ରହି ମହାପ୍ରଭୁଙ୍କ ଦର୍ଶନରେ ସହାୟତା କରିଥିଲେ। ବାଇଶିପାହାଚରେ ମହମହିମ କିଛି ସମୟ ପାଇଁ ବସି ରହିଥିଲେ। ପ୍ରାୟ ୪୫ ମିନିଟ୍ କାଳ ସେ ବେଢ଼ାରେ ବିତାଇଥିଲେ।

ବଡ଼ଦେଉଳରୁ ଫେରିବା ପରେ ସିଂହଦ୍ୱାରଠାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମତୀ ମୁର୍ମୁଙ୍କୁ ମହାପ୍ରଭୁଙ୍କ ସୁନାବେଶର ଏକ ପଟ୍ଟଚିତ୍ର ଉପହାର ଦିଆଯାଇଥିଲା। ଏହା ସହ ଖଣ୍ଡୁଆ ପାଟ ଓ ଶୁଖିଲି ଭୋଗ ମଧ୍ୟ ପ୍ରଦାନ କରାଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ସାରି ରାଷ୍ଟ୍ରପତି ଲୋକଭବନ ଅଭିମୁଖେ ବାହାରିଥିଲେ। ସେଠାରେ ଜଳପାନ ଶେଷ କରି ତାଳବଣିଆ ହେଲିପ୍ୟାଡ୍‌ରୁ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ମୟୂରଭଞ୍ଜର ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରିଥିଲେ। ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଏସ୍‌ପି ପ୍ରତୀକ ସିଂହ ସବୁ ପ୍ରକାର ବନ୍ଦୋବସ୍ତର ତଦାରଖ କରିଥିଲେ। ସୂଚନାଯେ।।ଗ୍ୟ ଯେ, ରାଷ୍ଟ୍ରପତି ହେବା ପରେ ଶ୍ରୀମତୀ ମୁର୍ମୁଙ୍କ ଏହା ତୃତୀୟ ପୁରୀ ଗସ୍ତ ଥିଲା। ଏହା ପୂର୍ବରୁ ସେ ୨୦୨୨ ଓ ୨୦୨୪ରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!