ରେଳବାଇରେ ଓଡ଼ିଶାକୁ ୧୦ ହଜାର ୯୨୮ କୋଟିର ଅନୁଦାନ; ୨୦୨୬ ସୁଦ୍ଧା ସରିବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ

Spread the love

ଭୁବନେଶ୍ୱର(ବ୍ୟୁରୋ): ଓଡ଼ିଶାରେ ଡବଲ ଇଂଜନ ସରକାର ଚାଲିଛି। ଆଗାମୀ ୫ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ରେଳ ପ୍ରକଳ୍ପ କରାଯିବ ବୋଲି ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ସେହି ଆଧାରରେ କାମ କରାଯାଉଛି। ରାଜ୍ୟରେ ଏପର୍ଯ୍ୟନ୍ତ ୯୦ କୋଟି ଟଙ୍କାର ପ୍ରକଳ୍ପ କାମ ଚାଲିଛି। ଆଉ ୧୦ କୋଟି ଟଙ୍କା କଲେ ଆମର ମିସନ ପୂରା ହେବ। ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି। ରେଳମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ରାଜ୍ୟରେ ବିକାଶ କାମ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବିକାଶ ଉପରେ ନଜର ରଖିଛନ୍ତି। ଓଡ଼ିଶାରେ ରେଳ ଭିତ୍ତିଭୂମି ପାଇଁ ବଜେଟ୍‌-୨୦୨୬ରେ ୧୦,୯୨୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ୬ଟି ବନ୍ଦେ ଭାରତ ଏବଂ ୬ଟି ଅମୃତ ଭାରତ ଏକ୍ସପ୍ରେସ୍ ଚାଲିଛି। ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ମାଲେସିଆ ତୁଳନାରେ ଅଧିକ ରେଳଳାଇନ ନିର୍ମାଣ ୧୧ ବର୍ଷ ମଧ୍ୟରେ ହୋଇପାରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ଆମକୁ ସହଯୋଗ କରୁଛନ୍ତି। ୨୦୨୬ ସୁଦ୍ଧା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାମ ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାର ରେଳ ଭିତ୍ତିଭୂମିର କାୟାକଳ୍ପ ପାଇଁ ଚଳିତ ବଜେଟ୍‌ରେ ରେକର୍ଡ ୧୦,୯୨୮ କୋଟି ଟଙ୍କା ବରାଦ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ଅଶେଷ ଧନ୍ୟବାଦ ବୋଲି ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ କହିଛନ୍ତି। ଓଡ଼ିଶାର ପ୍ରଗତି ପ୍ରତି କେନ୍ଦ୍ର ସରକାରଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ‘ସମୃଦ୍ଧ ଓଡ଼ିଶା’ ଗଠନ ସଂକଳ୍ପକୁ ସାକାର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!