ଫେବ୍ରୁଆରୀ ୩ରୁ ଅମୃତ ଉଦ୍ୟାନ ଖୋଲିବ

Spread the love

ନୂଆଦିଲ୍ଲୀ: ରବିବାର ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନର ଶୀତକାଳୀନ ସଂସ୍କରଣରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇଛନ୍ତି। ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଫେବ୍ରୁଆରୀ ୩ ତାରିଖରୁ ଖୋଲିବ। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦର୍ଶକଙ୍କୁ ଏହି ସୁଯୋଗ ମିଳିବ। ଜନସାଧାରଣ ସପ୍ତାହକୁ ୬ ଦିନ ସକାଳ ୧୦ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ପରିଦର୍ଶନ କରିପାରିବେ। ରକ୍ଷଣାବେକ୍ଷଣ ପାଇଁ ଉଦ୍ୟାନ ପ୍ରତି ସୋମବାର ଦିନ ବନ୍ଦ ରହିବ। ସେହିଭଳି ମାର୍ଚ୍ଚ ୪ ତାରିଖ ହୋଲି ଉପଲକ୍ଷେ ଉଦ୍ୟାନ ବନ୍ଦ ରହିବ। ଏହାଛଡ଼ା ସ୍ୱତନ୍ତ୍ର ବର୍ଗଙ୍କ ପାଇଁ ଅମୃତ ଉଦ୍ୟାନ ନିର୍ଦ୍ଦିଷ୍ଟ ଦିନ ଖୋଲା ରହିବ। ସେଗୁଡ଼ିକ ହେଲା, ମାର୍ଚ୍ଚ ୩ ତାରିଖ ଦିନ ପ୍ରତିରକ୍ଷା କର୍ମଚାରୀଙ୍କ ପାଇଁ, ମାର୍ଚ୍ଚ ୫ ତାରିଖରେ ବରିଷ୍ଠ ନାଗରିକଙ୍କ ପାଇଁ ଖୋଲା ରହିବ। ସେହିପରି ମାର୍ଚ୍ଚ ୧୦ ମହିଳା ଓ ଆଦିବାସୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମାର୍ଚ୍ଚ ୧୩ ତାରିଖରେ ଦିବ୍ୟାଙ୍ଗଜନଙ୍କ ପାଇଁ ଖୋଲା ରହିବ। ଅମୃତ ଉଦ୍ୟାନ ପ୍ରବେଶ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ତେବେ ଅନ୍‌ଲାଇନରେ ଏହାକୁ ବୁକିଂ କରିବାକୁ ପଡ଼ିବ ବୋଲି କୁହାଯାଇଛି। ରାଷ୍ଟ୍ରପତି ଭବନର ୩୫ ନମ୍ବର ଫାଟକ ଦେଇ ଦର୍ଶକ ପ୍ରବେଶ ଓ ପ୍ରସ୍ଥାନ କରିବାକୁ ମାର୍ଗଦର୍ଶିକା ଜାରି ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!