ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିିଛନ୍ତି। ଏଥରକୁ ମିଶାଇ ନିର୍ମଳା ଲଗାତର ୯ମ ଥର ଲାଗି ବଜେଟ୍ ଉପସ୍ଥାପନ କରିଛନ୍ତି। ନିର୍ମଳା ତାଙ୍କ ୮୫ ମିନିଟର ଭାଷଣରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ତେବେ ଆୟକରର ଛାଡ଼ ସୀମା ଅପରିବର୍ତ୍ତିତ ରହିଛି। ଏଥର ବଜେଟରେ ପ୍ରତିରକ୍ଷା ବିଭାଗ ପାଇଁ ୭.୮୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତ ବଜେଟରେ ଏହା ୬.୮୧ ଲକ୍ଷ କୋଟି ଥିଲା। ସେନା କ୍ଷମତା ବଢ଼ାଇବା, ଆଧୁନିକୀକରଣ, ବ୍ୟକ୍ତିଗତ କଲ୍ୟାଣ ଆଦିକୁ ଗୁରୁତ୍ୱ ଦିଆଯାଇଛି।
ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଛାତ୍ରୀନିବାସ
ଦେଶର ପ୍ରତି ଜିଲ୍ଲାରେ ଛାତ୍ରୀନିବାସ ସରକାରଙ୍କ ବିକଶିତ ଭାରତ ଲକ୍ଷ୍ୟକୁ ପୂରଣ କରିବାକୁ ଯାଇ ନିର୍ମଳା ଶିକ୍ଷା, ଗବେଷଣା, ସୃଜନଶୀଳ ଶିଳ୍ପ ଉପରେ ଗୁରୁତ୍ୱ ଦେଇଛନ୍ତି। ବଜେଟରେ ନିର୍ମଳା ଦେଶର ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଛାତ୍ରୀନିବାସ ନିର୍ମାଣ ପାଇଁ ଘୋଷଣା କରିଛନ୍ତି। ଏହି ହିସାବରେ ସମଗ୍ର ଦେଶର ୭୦୦ ଜିଲ୍ଲାରେ ଛାତ୍ରୀନିବାସ ସରକାର ନିର୍ମାଣ କରିବେ। ସେହିପରି ଜାତୀୟ ଆତିଥେୟତା ସଂସ୍ଥାନ ପ୍ରତିଷ୍ଠା ବିଷୟରେ ଘୋଷଣା କରିଛନ୍ତି। ଏହାଛଡ଼ା ଦେଶର ୫ଟି ନୂଆ ବିଶ୍ୱବିଦ୍ୟାଳୟ ଟାଉନସିପ୍୍ ବିକାଶ ବିଷୟରେ ବଜେଟରେ ସୂଚନା ଦେଇଛନ୍ତି। ସେହିପରି ସରକାର ମୁମ୍ବାଇରେ ଭାରତୀୟ ସୃଜନଶୀଳ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଦ୍ୱାରା ସମଗ୍ର ଦେଶର ୧୫ ହଜାର ମାଧ୍ୟମିକ ବିଦ୍ୟାଳୟ ଏବଂ ୫୦୦ କଲେଜରେ କଣ୍ଟେଣ୍ଟକ୍ରିଏଟର ଲ୍ୟାବ୍ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବେ।
ବଜେଟରେ ନିର୍ବାଚନୀ ଗନ୍ଧ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ୨୦୨୬-୨୭ ବଜେଟରେ ନିର୍ବାଚନୀ ଗନ୍ଧ ବାରି ହୋଇପଡ଼ୁଛି। ଚଳିତ ବର୍ଷ ଏପ୍ରିଲ ମାସ ଆଡ଼କୁ ୪ଟି ରାଜ୍ୟ ଯାଥା-ଆସାମ, ପଶ୍ଚିମବଂଗ,ତାମିଲନାଡ଼ୁ ଓ କେରଳ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ନିର୍ମଳା ବଜେଟ୍ରେ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଦେଶର ପୂର୍ବ ଭାଗ ଅର୍ଥାତ୍ ପଶ୍ଚିମବଂଗର ଡାକୁନିରୁ ପଶ୍ଚିମ ଭାଗକୁ ଯୋଡୁଥିବା ଗୁଜରାଟର ସୁରଟ ମଧ୍ୟରେ ଏକ ନୂଆ ମାଲ ପରିବହନ ମାର୍ଗ ନିର୍ମାଣ କରାଯିବ। ଏହାଛଡ଼ା ୫ଟି ପୂର୍ବୋଦୟ ରାଜ୍ୟରେ ୫ଟି ପର୍ଯଟନସ୍ଥଳ ନିର୍ମାଣ ହେବ ଏବଂ ୪ ହଜାର ଇ-ବସର ବ୍ୟବସ୍ଥା କରାଯିବ। ସେହିପରି ପଶ୍ଚିମବଙ୍ଗର ଦୁର୍ଗାପୁରରେ ପୂର୍ବତଟ ଶିଳ୍ପ କରିଡରର ବିକାଶ କରଯିବ। ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଭାଷଣରେ ୭ଟି ଦ୍ରୁତଗାମୀ ରେଳ କରିଡର ବିକାଶ ନେଇ ଘୋଷଣା କରିଛନ୍ତି। ସେଗୁଡ଼ିକ ହେଲା ମୁମ୍ବାଇ-ପୁନେ, ପୁନେ-ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁରୁ, ହାଇଦ୍ରାବାଦ-ଚେନ୍ନାଇ, ଚେନ୍ନାଇ-ବେଙ୍ଗାଲୁରୁ,ଦିଲ୍ଲୀ-ବାରାଣସୀ, ବାରାଣସୀ-ସିଲିଗୁଡ଼ି। ସେହିପରି ତାମିନାଡ଼ୁ ଓ ଆନ୍ଧ୍ରପ୍ରଦେଶର ସୀମାରେ ଥିବା ପୁଲିିକାଟ ହ୍ରଦରେ ଏକ ପକ୍ଷ ଅବଲୋକନ ମାର୍ଗ ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଦେଶରେ ଆଉ ଗୋଟିଏ ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ ସ୍ନାୟୁ ବିଜ୍ଞାନ ସଂସ୍ଥାନ ଖୋଲାଯିବ। ଏହାଛଡ଼ା ରାଞ୍ଚି ଓ ତେଜପୁରରେ ଥିବା ଜାତୀୟ ମାନସିକ ସ୍ୱାସ୍ଥ୍ୟ ସଂସ୍ଥାନର ଉନ୍ନତିକରଣ କରାଯିବ।
ଶସ୍ତା ହେଲା କ୍ୟାନସର ମେଡିସିନ୍
କ୍ୟାନସରରେ ପୀଡ଼ିତ ବ୍ୟକ୍ତିଙ୍କ ପରିବାରକୁ ଔଷଧ କିଣିବା ଜନିତ ଖର୍ଚ୍ଚାନ୍ତରୁ ରକ୍ଷା କରିବାକୁ ଯାଇ ଅର୍ଥମନ୍ତ୍ରୀ ବଜେଟରେ ୧୭ କ୍ୟାସନର ସଂପର୍କିତ ଔଷଧ ଉପରୁ ଉତ୍ପାଦନ ଶୁଳ୍କ ପ୍ରତ୍ୟାହାର କରିଦେଇଛନ୍ତି। ଶୁଳ୍କ ଛାଡ଼ ପ୍ରତ୍ୟକ୍ଷ ଭାବେ କର୍କଟ ଚିକିତ୍ସାରେ ବ୍ୟବହୃତ ଜଟିଳ ଔଷଧର ଦର ହ୍ରାସ କରାଇବ।
କ’ଣ ହେଲା ଶସ୍ତା ଓ କ’ଣ ମହଙ୍ଗା : ମୋବାଇଲ ଫୋନ୍, ଇଭି ବ୍ୟାଟେରୀ, ଚମଡ଼ା ଓ କପଡ଼ା, ସାମୁଦ୍ରିକ ପଦାର୍ଥ, ଖେଳ ସାମଗ୍ରୀ, ବେସାମରିକ ବିମାନ ସାମଗ୍ରୀ, ଏୟାର କ୍ରାଫ୍ଟ କଞ୍ଚାମାଲ, ବ୍ୟକ୍ତିଗତ ବ୍ୟବହାର ପାଇଁ ଆମଦାନୀ ସାମଗ୍ରୀ, ଶସ୍ତା ହୋଇଛି। ଅନ୍ୟପକ୍ଷରେ ଭାରତରେ ଉତ୍ପାଦନ ହେଉଥିବା ସାମଗ୍ରୀ, ବଛାବଛା ଶିଳ୍ପ ଯନ୍ତ୍ରପାତି, ତମାଖୁଜାତ ପଦାର୍ଥ ଯଥା-ସିଗାରେଟ୍, ପାନମସଲା ମହଙ୍ଗା ହୋଇଛି।













Leave a Reply