ଅହମଦାବାଦ: ବିମାନ ଅପହରଣ ଓ ବୋମା ଧମକ ମିଳିବା ପରେ ଶୁକ୍ରବାର କୁଏତରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ଅହମଦାବାଦଠାରେ ଜରୁରୀ ଅବତରଣ କରିଛି। ୧୮୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନଟି ସକାଳ ୬ଟା ୪୦ ମିନିଟ୍ରେ ଅହମଦାବାଦ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଏହା ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇ ବିମାନକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଥିଲା। ଯାତ୍ରୀଙ୍କ ଲଗେଜ ଯାଞ୍ଚ କରାଯିବା ସହ ସମସ୍ତ ଯାତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ତନଖି ସହ ସେମାନଙ୍କ ପରିଚୟ ପଚରାଯାଇଥିଲା। ତେବେ ବିମାନ ଭିତରୁ କୌଣସି ସନ୍ଦିଗ୍ଧ ଜିନିଷ ମିଳି ନଥିଲା। ବିମାନ ବନ୍ଦର ସୂତ୍ରରୁ ଜଣାପଡ଼ିଛି ଯେ ବିମାନ ଭିତରୁ ଟିସୁ ପେପର ମିଳିଥିଲା, ଯେଉଁଥିରେ ବିମାନକୁ ଅପହରଣ କରାଯିବ ଓ ବୋମାଦ୍ୱାରା ଉଡ଼ାଇ ଦିଆଯିବ ବୋଲି ଲେଖାଥିଲା। ଏହି ଧମକପୂର୍ଣ୍ଣ ଲେଖାଟି ମିଳିବା ପରେ ଆଲାର୍ମ ବାଜି ଉଠିଥିଲା। ପାଇଲଟ ଅବିଳମ୍ବେ ବିମାନକୁ ଅହମଦାବାଦରେ ଜରୁରୀ ଅବତରଣ କରାଇଥିଲେ। ସୂଚନା ଥାଉକି, ଜାନୁଆରୀ ୨୨ ତାରିଖରେ ଦିଲ୍ଲୀରୁ ପୁନେ ଯାଉଥିବା ଇଣ୍ଡଗୋ ବିମାନ ଭିତରେ ମଧ୍ୟ ଏଭଳି ଧମକ ପୂର୍ଣ୍ଣ ଲେଖା ମିଳିଥିଲା।
