ପୁରୀ: ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ପରମ୍ପରା କ୍ରମେ ଶୁକ୍ରବାର ବସନ୍ତ ପଞ୍ଚମୀ ଅବସରରେ ରଥ ନିର୍ମାଣ ପାଇଁ ଆସିଥିବା ତିନିଖଣ୍ଡ ଧଉରା କାଠକୁ ସଂଧ୍ୟାରେ ବଡ଼ଦାଣ୍ଡ ଶ୍ରୀନଅର ସମ୍ମୁଖ ରଥଖଳାରେ ଅନୁକୂଳ କରାଯାଇଛି। ଦେଉଳ ପୁରୋହିତ, ଶ୍ରୋତ୍ରୀୟ ବ୍ରାହ୍ମଣ, ରାଜଗୁରୁ ପ୍ରମୁଖଙ୍କ ଯୋଗଦାନରେ ପୂଜାର୍ଚ୍ଚନା କରାଯାଇଥିଲା। ରଥଖଳାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍ପି ପ୍ରତୀପ ସିଂହଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ, ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ପବିତ୍ର ଅକ୍ଷୟ ତୃତୀୟାରେ ରଥ ଗଢ଼ା ଶୁଭାରମ୍ଭ ହୋଇଥାଏ। ସେହିପରି ଶ୍ରୀରାମ ନବମୀରେ ରଥ କାଠ ଚିରଟ, ଭଉଁରୀରେ ଚକଡେରା, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ, ସ୍ନାନଯାତ୍ରାରେ ଚାରିନାହାକା ଉଠିବାର ପରମ୍ପରା ରହିଛି। ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ରଥ ନିର୍ମାଣରେ ବିଭିନ୍ନ ଆକାରର ମୋଟ ୮୬୫ ଖଣ୍ଡ କାଠ ଦରକାର ପଡ଼ିଥାଏ। ଏଥିରେ ଅସନ, ଧଉରା, ଫାସି, ଶିମିଳି କାଠ ବ୍ୟବହାର ହୋଇଥାଏ। ମୁଖ୍ୟତଃ କାଠ ସବୁ ଦଶପଲା ବନଖଣ୍ଡରୁ ଆସିଥାଏ।
ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ଶ୍ରୀପଞ୍ଚମୀରେ ହେଲା ରଥକାଠ ଅନୁକୂଳ















Leave a Reply