ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଦେଉଳ ରତ୍ନସିଂହାସନ ଛାଡ଼ି ସ୍ନାନବେଦୀରେ ବିଜେପୂର୍ବକ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ସବୁଠାରୁ ସ୍ନାନଯାତ୍ରା ମହାପ୍ରଭୁଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରୀତିନୀତି। ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ମହାପ୍ରଭୁ ପ୍ରଭୁ ଜଗନ୍ନାଥ ଘଣ୍ଟଘଣ୍ଟାର ତାଳେ ତାଳେ ପାରମ୍ପରିକ ପହଣ୍ଡିବିଜେ ହୋଇ ସ୍ନାନମଣ୍ଡପରେ ବିଜେ ହୋଇଛନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପ୍ରତ୍ୟହ ବିମ୍ବ ସ୍ନାନ ହେଉଥିବା ବେଳେ ବର୍ଷକୁ ଗୋଟିଏ ଦିନ କେବଳ ପ୍ରତ୍ୟକ୍ଷ ଜଳରେ ମହାପ୍ରଭୁ ସ୍ନାନ କରିଥାନ୍ତି। ସେଥିପାଇଁ ସୁନାକୂଅରୁ୧୦୮ ସୁବାସିତ ଜଳ ମହାପ୍ରଭୁଙ୍କ ପାଇଁ ଦରକାର ପଡ଼ିଥାଏ।। ସ୍ନାନପରେ ପରେ ଚତୁର୍ଦ୍ଧା ଦୁର୍ଲ୍ଲଭ ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ସ୍ନାନଯାତ୍ରା ସାରି ମହାପ୍ରଭୁ ଅଣସର ଘରେ ବିଜେ କରିଥାନ୍ତି। ଅଧିକ ଗାଧୋଇବା ଫଳରେ ଜ୍ୱର ହେତୁ ସେଠାରେ ୧୫ଦିନ ଧରି ମହାପ୍ରଭୁଙ୍କ ଗୁପ୍ତ ସେବା ଦଇତାପତି ସେବକଙ୍କ ଦ୍ୱାରା କରାଯାଇଥାଏ। ମହାପ୍ରଭୁ ସୁସ୍ଥ ତଥା ନବଯୌବନ ପ୍ରାପ୍ତ ହୋଇ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ବାହାରଥାନ୍ତି।

ଆଜି ସ୍ନାନଯାତ୍ର ଦେଖିବା ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବଡ଼ଦାଣ୍ଡ ଓ ସଂଯୋଗ ରାସ୍ତାରେ ଶ୍ରଦ୍ଧାଳୁମାନେ ଗହଳି ଲଗାଇଛନ୍ତି। ଯାତ୍ରାକୁ ଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରିଛନ୍ତି। ଭିଡ଼ ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୮୦ ପ୍ଲାଟୁନ୍ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
