ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲାର ଲାଠୋର ଥାନା ଅନ୍ତର୍ଗତ ସଦର ଲାଠୋର ସ୍ଥିତ ହନୁମାନ ମନ୍ଦିର ନିକଟରେ ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଘଟିଥିବା ଏକ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ୨୨ ବର୍ଷୀୟ ଯୁବକଙ୍କର ଜୀବନ ଚାଲିଯାଇଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକ ହେଲେ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ କଳସିପାଣି ଗ୍ରାମର ନେହେରୁ ଶବରଙ୍କ ବଡ଼ ପୁଅ ନିର୍ମଳ ଶବର (୨୨)। ସୂଚନା ଅନୁଯାୟୀ, ନିର୍ମଳ ଏକ ବାହାଘର କାର୍ଯ୍ୟରେ ଯୋଗଦେବା ପାଇଁ ତୁରେକେଲା ଥାନା ଅନ୍ତର୍ଗତ ଡେବିରିଆମୁଣ୍ଡା ଗ୍ରାମକୁ ବାଇକ୍ ଯୋଗେ ଯାଉଥିଲେ। ଲାଠୋର ହନୁମାନ ମନ୍ଦିର ନିକଟରେ ଥିବା ଏକ ହମ୍ପସ୍? ପାଖରେ ତାଙ୍କ ବାଇକର ଭାରସାମ୍ୟ ହରାଇ ଅନ୍ୟ ଏକ ବାଇକକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ନିର୍ମଳ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ଖବର ପାଇ ଲାଠୋର ପୋଲିସ ତୁରନ୍ତ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ନିର୍ମଳଙ୍କୁ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ, ଦୁର୍ଘଟଣାରେ ସମ୍ପୃକ୍ତ ଅନ୍ୟ ବାଇକରେ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଲାଠୋର ଥାନାଧିକାରୀ ଅଭିନାଶ ପଧାନ କହିଛନ୍ତି ଯେ, ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଅକାଳ ବିୟୋଗ ମୃତକଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଲଦି ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ପରିବେଶ ସୃଷ୍ଟି ହୋଇଛି।
