ଲକ୍ଷ୍ନୌ: ସୋମବାର ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳର ଉଷା ମେହେଟ୍ଟା ମାର୍ଗରେ ଏକ ତିନି ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ହେବା ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରାମ କୃଷ୍ଣ ଉପାଧ୍ୟାୟ (୪୩), ବୀରେନ୍ଦ୍ର ପ୍ରସାଦ ଶୁକ୍ଳା (୬୨), ତୁଶୋକ କୃଷ୍ଣ ଜୟସୱାଲ (୩୧) ଏବଂ ସୁରେଶ କୁମାର ସାହୁ। ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରି ଉତ୍ତର ପ୍ରଦେଶ ସରକାର ଆଲିଗଞ୍ଜ ଅଗ୍ନିକାଣ୍ଡ ଘଟଣା ସହିତ ଜଡିତ ଚାରି ଅଧିକାରୀଙ୍କୁ ତୁରନ୍ତ ନିଲମ୍ବିତ କରିଛନ୍ତି। ସେମାନେ ହେଲେ ବିଦ୍ୟୁତ୍ ବିଭାଗର ଜାନକିପୁରମ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ସଂଗ୍ରହ) ଗୌରବ କୁମାର; ଇନ୍ଦିରା ନଗର ଅଗ୍ନିଶମ ବିଭାଗର ଅଗ୍ନିଶମ ଷ୍ଟେସନ ସୁରକ୍ଷା ଅଧିକାରୀ କମଲେନ୍ଦ୍ର କୁମାର ସିଂହ; ଲକ୍ଷ୍ନୌ ବିକାଶ ପ୍ରାଧିକରଣର ସହକାରୀ ଯନ୍ତ୍ରୀ ଅନିଲ କୁମାର ଏବଂ କନିଷ୍ଠ ଯନ୍ତ୍ରୀ ପ୍ରମୋଦ ପାଣ୍ଡେ। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଯାଇଥିଲା, ଯେଉଁଠାରେ ଆଦିତ୍ୟନାଥ ଦୁଇ ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ଦଳର ନେତୃତ୍ୱ ଅତିରିକ୍ତ ମୁଖ୍ୟ ସଚିବ (ପର୍ଯ୍ୟଟନ, ଧାର୍ମିକ ବ୍ୟାପାର ଏବଂ ସଂସ୍କୃତି) ଅମୃତ ଅଭିଜାତ ଏବଂ ଲକ୍ଷ୍ନୌ ଜୋନର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ନେବେ।ଏସଆଇଟିକୁ ସାତ ଦିନ ମଧ୍ୟରେ ଏହାର ତଦନ୍ତ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରମାଣ ଯାଞ୍ଚ କରିବା ପାଇଁ ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଫରେନସିକ୍ ବିଶେଷଜ୍ଞଙ୍କ ଏକ ଛଅ ଜଣିଆ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅନେକ ଯୁବକ ଛାତ୍ର ଥିଲେ ଯେଉଁମାନେ ଆନିମେସନ୍ କେନ୍ଦ୍ରରେ ପାଠ ପଢ଼ୁଥିଲେ। ଘନ ଧୂଆଁ ଏବଂ ନିଆଁ ଦ୍ରୁତ ଗତିରେ କୋଠାରେ ବ୍ୟାପିଯିବାରୁ ଅନେକ ପୀଡିତ ଘର ଭିତରେ ଫସି ଯାଇଥିଲେ। ରାଜ୍ୟ ସରକାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଆର୍ôଥକ ସହାୟତା ଘୋଷଣା କରିଛନ୍ତି, ଆହତମାନଙ୍କୁ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା କ୍ଷତିପୂରଣ ଦିଆଯିବ।
