ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ମଙ୍ଗଳବାର ଦିନ କାତାରର ଏକ ଗ୍ୟାସ୍ ପ୍ରକ୍ରିୟାକରଣ ସୁବିଧାରେ ଏକ ବଡ଼ ଶିଳ୍ପ ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜ୍ୟର ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସାର୍ବଜନୀନ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ଘୋଷଣା କରିଛନ୍ତି। ରାସ୍ ଲାଫାନ୍ ଶିଳ୍ପ ନଗରୀରେ ଅବସ୍ଥିତ ବାର୍ଜାନ୍ ଗ୍ୟାସ୍ ଉତ୍ପାଦନ ସୁବିଧାରେ ଏକ ବଡ଼ ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡ ପରେ ଏହି ଘୋଷଣା କରାଯାଇଛି। ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ୧୨ ଜଣ ଭାରତୀୟ ନାଗରିକଙ୍କ ସମେତ ଅତି କମରେ ୧୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି, ଯେତେବେଳେ ଅନ୍ୟ ୬୬ ଜଣ ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। କିଛି ମାସ ଧରି ଉତ୍ପାଦନ ବନ୍ଦ ରହିବା ପରେ ପ୍ଲାଣ୍ଟ ପୁନଃ ଆରମ୍ଭ କରିବା ପାଇଁ ପ୍ରସ୍ତୁତି କାର୍ଯ୍ୟ ସମୟରେ ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ ଅଗ୍ନିକାଣ୍ଡ ସୁବିଧାର ବିଭିନ୍ନ ଅଂଶରେ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା, ଯାହା ଫଳରେ ମୃତାହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ତାମିଲନାଡୁର ତିନି ଜଣ ଶ୍ରମିକ ଥିଲେ – ତିରୁନେଲଭେଲି ଜିଲ୍ଲାର ୟାକ୍େକାପୁରମ ଗ୍ରାମର ଥାଙ୍ଗରାଜଙ୍କ ପୁଅ ପାବିତ (୨୬), ପାନାଗୁଡି ନିକଟ ଶିବଗାମିପୁରମର ସାଜିତ କୁମାର (୨୫) ଏବଂ ମଙ୍ଗାମ୍ଲ ସଲାଇ ଅଞ୍ଚଳର ବାସିନ୍ଦା ସୁଭିନ (୨୬)। କାତାରରେ ଥିବା ଭାରତୀୟ ଦୂତାବାସ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛି ଏବଂ ସହାୟତା ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ସହଜ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟ ସ୍ଥାପନ କରୁଛି। ପୀଡିତଙ୍କ ପରିବାର ସଦସ୍ୟମାନେ ଶବଗୁଡ଼ିକୁ ଶୀଘ୍ର ଭାରତ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି।
