କଳାହାଣ୍ଡି: ବଲାଙ୍ଗୀର ଜିଲା ବେଲଗାଁ – ସଇଁତଲା ୨୬ ନମ୍ବର ଜାତୀୟ ରାଜପଥର ବରଗାଁ ଛକ ନିକଟରେ ଅବକାରୀ ବିଭାଗ ଟିମ୍ ଶୁକ୍ରବାର ପୂର୍ବାହ୍ନରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଚଢ଼ାଉ କରିଛି।୩୩ କେଜି ଗଞ୍ଜେଇ ସହ ଏକ କାରକୁ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୨ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପତିଛି। ଗିରଫ ୨ ଶିକ୍ଷକ ହେଲେ କଳାହାଣ୍ଡି ଜିଲା ମଦନପୁର – ରାମପୁର ଥାନା ଅନ୍ତର୍ଗତ ସରଗୁଳ ଗାଁର କିଶୋର କୁମ୍ଭାର ଏବଂ ରିଞ୍ଜା ଗାଁର ଜିତୁ ସାହୁ ଏବଂ ଏବଂ ତୃତୀୟ ଗିରଫ ହେଲେ ସେମାନଙ୍କ ସହଯୋଗୀ କର୍ଲାମୁଣ୍ଡା ଗାଁର ସଞ୍ଜୟ ବାଗ ।ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ ରେ ଏକ ଧଳାରଙ୍ଗର କାର ଓଡି ୦୨ ସିଏଲ ୮୫୨୪ରେ ବ୍ୟାପକ ପରିମାଣର ଗଞ୍ଜେଇ ଚାଲାଣ ହେଉଥବା ଖବର ବଲାଙ୍ଗୀର ଅବକାରୀ ଅଧୀକ୍ଷକା ଅନ୍ନପୂର୍ଣ୍ଣା ରଥଙ୍କୁ ମିଳିଥିଲା।ଏହାପରେ ଟିଟିଲାଗଡ଼ ଏବଂ ତୂଷୁରା ଅବକାରୀ ବିଭାଗ ବେଲଗାଁ –ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥର ବରଗାଁ ଛକରେ ନାକାବନ୍ଦୀ କରିଥିଲେ। ଅବକାରୀ ଟିମ କୁ ଦେଖି ଉକ୍ତ କାରଟି ଦ୍ରୁତ ଗତିରେ ଫେରାର ମାରିବାକୁ ଉଦ୍ୟମ କରୁଥିବାବେଳେ ଜାତୀୟ ରାଜପଥ କଡ଼ରେ ଥିବା ଏକ ସୂଚନା ଫଳକରେ ବାଡେଇ ହୋଇଯାଇଥିଲା। ସେଠାରେ ଅବକାରୀ ଟିମ୍ ଉକ୍ତ କାରକୁ ଜବତ କରିବା ସହ ସେଥିରେ ବସିଥିବା ୩ ଜଣଙ୍କୁ କାବୁ କରିନେଇଥିଲା। ଉକ୍ତ କାର ଭିତରୁ୩୩ କେଜି ଗଞ୍ଜେଇ ଜବତ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବ ବୋଲି କୁହାଯାଇଛି।ଗିରଫ ୨ ସରକାରୀ ଶିକ୍ଷକ ଗଞ୍ଜେଇ ଚୋରାଚାଲାଣକାରୀ ଭାବେ କାମ କରୁଥିବା ଟିଟିଲାଗଡ଼ ଅବକାରୀ ଅଧିକାରୀ ପ୍ରବୀଣ କୁମାର ସାହୁ ସୂଚନା ଦେଇଛନ୍ତି। ଅବକାରୀ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।ଗିରଫ ୩ ଅଭିଯୁକ୍ତଙ୍କୁ ଟିଟିଲାଗଡ଼ କୋର୍ଟକୁ ଚାଲାଣ କରାଯାଇଛି। ଏହି ଚଢ଼ାରରେ ଟିଟିଲାଗଡ଼ ଅବକାରୀ ବିଭାଗର ଭୃଗୁପତିଦିଗାଲ, ଶ୍ରୀକାନ୍ତ ପାଣିଗ୍ରାହୀ, ବିଭୂତି ଭୋଇ, ଭୋଜରାଜ ବଢ଼େଇ, ବୁଲୁ ସେଠୀ ଓ ଅନ୍ୟମାନେ ସାମିଲ ଥିଲେ।
