ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୧୬ ତାରିଖ । ଆଗକୁ ସ୍ନାନପୂର୍ଣ୍ଣିମା ଜୁନ ୨୯ ତାରିଖ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥା ପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି । ମେଡିକାଲ ଛକ ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ କୌଣସି ଉଠାଦୋକାନୀ ବ୍ଯବସାୟ କରିପାରିବେ ନାହିଁ କି କ୍ଯାବିନ ଓ ପସରା ପକାଇ ପାରିବେ ନାହିଁ । ସେଥିପାଇଁ ପୌରସଂସ୍ଥା ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ପ୍ରଦାନ କରାଯାଇଥିଲା । ବଡଦାଣ୍ଡରେ ଉଠାଦୋକାନୀଙ୍କ ପାଇଁ ଜୁନ ୨୦ ତାରିଖ ଶେଷ ତାରିଖ ଦିଆଯାଇଥିଲା । ପୌରସଂସ୍ଥାର ଏନଫୋର୍ସମେଣ୍ଟ ଟିମ ସହ ଜିଲ୍ଲା ପୋଲିସ ପ୍ରଶାସନ ମିଳିତ ସହଯୋଗରେ ସୋମବାର ବଡଶଙ୍ଖ ଠାରେ ଉଛେଦ କାର୍ଯ୍ଯ ଜାରି ରହିଥିଲା । ରଥଯାତ୍ରା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡରୁ ସମସ୍ତ କ୍ଯାବିନ ହଟାଇ ଦିଆଯାଉଛି ।

ବଡଦାଣ୍ଡ କୁ ସଫାସୁତରା ଓ କ୍ଯାବିନ ମୁକ୍ତ ପାଇଁ ସମସ୍ତ ବ୍ଯବସ୍ଥା ଗ୍ରହଣ କରାଯାଇଛି । ଜିଲା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଜାରୀ ରହିଛି । ଉଠାଦୋକାନୀ ମାନେ ସେମାନଙ୍କ ଦୋକାନ ନେବା ସହ ଆନୁସଙ୍ଗିକ ସାମଗ୍ରୀ ବୁହାବୋହି କରୁଥିବା ଦେଖିବାକୁ ମିଳିଥିଲା । ପୋଲିସ ଟିମ ଉପସ୍ଥିତରେ ଶାନ୍ତିଶୃଙ୍ଖଳାର ସହ ବ୍ଯବସାୟିକ ଅନୁଷ୍ଠାନ ମାନେ ସେମାନଙ୍କ ଦୋକାନ ଉଠାଉଥିବା ଦେଖିବାକୁ ମିଳିଥିଲା । ଗୋଟିଏ ଜେସିବି ଦ୍ୱାରା ଦୋକାନ ଉଛେଦ କାର୍ଯ୍ଯ ଜାରି ରହିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ।
