oppo_0
ବାରିପଦା: ମୟୁରଭଞ୍ଜ ଜିଲ୍ଲା, କୁଳିଅଣା ଥାନା ଅନ୍ତର୍ଗତ କାମତା ଗ୍ରାମର ଶକ୍ତିପଦ ବାରିକଙ୍କ ପୁତ୍ର ଶିବପ୍ରସାଦ ବାରିକ ଓରଫ ଦିପୁ (୪୦)କୁଳିଅଣା ଥାନା ସମ୍ମୁଖରେ ଥିବା ବନବିଭାଗର ପରିତ୍ୟକ୍ତ ଘରର ଏକ ଉରାରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ । ତାଙ୍କୁ ସେଠାରୁ ଉଦ୍ଧାର କରି କୁଳିଅଣା ଡାକ୍ତରଖାନା ଓ ପରେ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । କୁଳିଅଣା ପୋଲିସ ଶବ ଜବତ ପୂର୍ବକ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଗତକାଲି ଅପରାହ୍ନରେ ଶବ ଆସିବା ପରେ କାମତା ଛକରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଉତ୍ୟକ୍ତ ପରିବାର ଓ ଜନସାଧାରଣ ଜାତୀୟ ରାଜ ପଥ ଅବରୋଧ କରିଥିଲେ । ମିଳିଥିବା ସୂଚନା ମୁତାବକ, ଶିବପ୍ରସାଦଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ଏକ ବୋଲେରୋ ଗାଡ଼ିକୁ ସେ ଭଡ଼ାରେ (ଲିଜ)ନେଇ ଚଲାଉଥିଲେ । କିଛି ଦିନ ପୂର୍ବେ ଉକ୍ତ ଗାଡ଼ିଟି ଚୋରି ହୋଇଯିବା ପରେ କୁଳିଅଣା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ହେବାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଗାଡ଼ି ଖୋଜିବା ଦିଗରେ କୌଣସି ତତ୍ପରତା ପ୍ରକାଶ କରିନଥିଲା । ଗାଡ଼ିର ସନ୍ଧାନ ପାଇଁ ଶିବପ୍ରସାଦ ନିଜ ସ୍ତ୍ରୀ ଓ ପିଲାମାନଙ୍କୁ ଧରି ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ । ଏପରିକି ଥାନାରେ ଧାରଣା ରେ ମଧ୍ୟ ସ୍ତ୍ରୀ ପିଲା ଧରି ବସିଥିଲେ । ତଥାପି ପୋଲିସ ତାଙ୍କ ଗୁହାରି ଶୁଣିବା ବଦଳରେ ଓଲଟା ମିଥ୍ୟା ମଦ କେସରେ ଫସାଇଦେବାକୁ ଧମକ ଚମକ ଦେଇଥିବା ର ଅଭିଯୋଗ ହୋଇଛି ।

ମୃତକଙ୍କ ସାନଭାଇ ରିପୁ ବାରିକ ଗଣମାଧ୍ୟମ ସମ୍ମୁଖରେ କାନ୍ଦି କାନ୍ଦି ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ତାଙ୍କ ବଡ଼ଭାଇ ଶିବପ୍ରସାଦ ଏକାକୀ ଥାନାକୁ ଯାଇଥିବା ବେଳେ ସେଠାରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ତାଙ୍କ ସହ ଅତ୍ୟନ୍ତ ଦୁର୍ବ୍ୟବହାର କରିଥିଲେ ଏବଂ ଗାଳିଗୁଲଜ କରିଥିଲେ । ପୋଲିସର ଏଭଳି ଅମାନୁଷିକ ବ୍ୟବହାର ଓ ଅପମାନକୁ ସହ୍ୟ କରିନପାରି ଶିବପ୍ରସାଦ ଥାନା ସମ୍ମୁଖରେ ହିଁ ନିଜ ଗାମୁଛା ସାହାଯ୍ୟରେ ଝୁଲିପଡ଼ିଥିଲେ । କୁଳିଅଣା ପୋଲିସର ଅବହେଳା ପାଇଁ ଆଜି ଏଭଳି ଘଟଣା ଘଟିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହି ଅବରୋଧ ଘଟଣାରେ ଉକ୍ତ ରାସ୍ତା ଦେଇ ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ ଯାଉଥିବା ବେଳେ ତାଙ୍କୁ ଅଟକାଇ ଅଭିଯୋଗ କରିଥିଲେ । ଘଟଣା ସ୍ଥଳରେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ଉପ ନଗରପାଳ ଜିତେନ୍ଦ୍ର ମହାନ୍ତି, କୃଷି ଶିଳ୍ପ ନିଗମର ପୂର୍ବତନ ଅଧକ୍ଷ ଦେବାଶିଷ ମହାନ୍ତି, ୮ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଦୁର୍ଗା ଚରଣ ମାରାଣ୍ଡି, ୯ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଆନନ୍ଦ ଟୁଡୁ, ଗେଣ୍ଡାପୋଖରୀ ସମିତିସଭ୍ୟ ରାଇସେନ ହେମ୍ବ୍ରମ, ଡୁମୁରଡିହା ସମିତିସଭ୍ୟ ବିବେକ ନାଥ, ରବୀନ୍ଦ୍ର କର, କରୁଣାକର କର, ସଂଜିତ କାନୁନଗୋ, ତାରାପଦ ନାଥ, ହାଡିବନ୍ଧୁ ବେହେରା, ପିତାମ୍ବର ବେହେରା, ଶୁଭକାନ୍ତ ସାହୁ, ପୂବତନ କୁଳିଅଣା ସରପଞ୍ଚ ଆନନ୍ଦ ହାଁସଦା ପ୍ରମୁଖଙ୍କ ସହ ବହୁ ଜନସାଧାରଣ ଉପସ୍ଥିତ ଥିଲେ । ଖବର ପାଇ ଅତିରିକ୍ତ ଏସପି ଦୀପକ କୁମାର ଗୋଛାୟତ, ଅଜୟ କୁମାର ବାରିକ, ସଦର ଏସଡିପିଓ ପ୍ରଭାତ କୁମାର ମଲ୍ଲିକ ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଂଚିଥିଲେ । ପୋଲିସ ଅଫିସରଙ୍କ ସହ ସୁଦାମ ମାରାଣ୍ଡି ଏ ବିଷୟରେ ଆଲୋଚନା ପୂର୍ବକ ରେଡକ୍ରସରୁ ସାହାଯ୍ୟ, ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତି ପୂରଣ, ଏବଂ ତାର ସ୍ତ୍ରୀ କୁ ଚାକିରୀ, ଏବଂ କୁଳିଅଣା ଥାନାଧିକାରୀଙ୍କୁ ବଦଳି ଦାବି ଉପସ୍ଥାପନ କରିଥିଲେ । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ସଦର ଏସ.ଡି.ପି.ଓ ପ୍ରଭାତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ଯେ, ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଏବଂ ଦାବିପତ୍ରକୁ ଗୁରୁତ୍ୱର ସହ ନିଆଯାଇଛି । କୁଳିଅଣା ଥାନା ଅନ୍ତର୍ଗତ ଶିବପ୍ରସାଦ ବାରିକ ଥାନା ସମ୍ମୁଖରେ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଗାଡ଼ି ଚୋରି ମାମଲାରେ ଆଇଆଇସି କଥା ଶୁଣିନଥିବା ସେମାନେ ଦର୍ଶାଇଛନ୍ତି । ପରିବାର ପକ୍ଷରୁ ମିଳିଥିବା ଦାବିପତ୍ର ସମ୍ପର୍କରେ ମୟୂରଭଞ୍ଜ ଏସପିଙ୍କୁ ଅବଗତ କରାଯାଇଛି । ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଶେଷରେ ଉପଯୁକ୍ତ ନ୍ୟାୟ ଏବଂ କ୍ଷତି ପୁରଣର ପ୍ରତିଶୃତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା ।
