ଭୋପାଳ (ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଏକ ଟ୍ରକ୍ ଏକ ଭ୍ୟାନ୍କୁ ଧକ୍କା ଦେଇଥିଲା, ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅତି କମରେ ୨୦ ଜଣ ଆହତ ହୋଇଛନ୍ତି। ମୃତକମାନେ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି। ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୩୦ କିଲୋମିଟର ଦୂରରେ ତମରି ଗ୍ରାମ ନିକଟରେ ଛିନ୍ଦୱାଡା-ବେତୁଲ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ସିଭିଲ୍ ସର୍ଜନ୍ ସୁଶୀଲ୍ ଦୁବେ କହିଛନ୍ତି, ସକାଳ ପ୍ରାୟ ୧୦ଟା ସମୟରେ ବେତୁଲ-ଛିନ୍ଦୱାଡା ରାଜପଥର ଟେମନି ଖୁର୍ଦ ଷ୍ଟ୍ରେଚ୍ରେ ଏକ ଦୁର୍ଘଟଣା ଘଟିଥିଲା। ଆମ୍ବୁଲାନ୍ସ ସେବା ମାଧ୍ୟମରେ ଆମେ ଘଟଣା ବିଷୟରେ ତୁରନ୍ତ ସୂଚନା ପାଇଲୁ। ଏ ପର୍ଯ୍ୟନ୍ତ ୨୦ ଜଣ ଆହତ ରୋଗୀଙ୍କୁ ଆମ ପାଖକୁ ଅଣାଯାଇଛି ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ଦୁର୍ଘଟଣାର ତୀବ୍ରତା ବିଷୟରେ ସୂଚନା ଦେଇ ସର୍ଜନ କହିଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ରୋଗୀଙ୍କ ଅବସ୍ଥା ଗୁରୁତର ଏବଂ ତାଙ୍କୁ ନାଗପୁରର ମେଡିକାଲ କଲେଜକୁ ପଠାଯିବ। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ୨ ଜଣ ପୁରୁଷ ରହଛନ୍ତି। ପୋଲିସ ମୃତଦେହଗୁଡ଼ିକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି।
