ବ୍ରହ୍ମପୁର : ବ୍ରହ୍ମପୁର ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ପୋଖରୀ (ଘାଟ ବନ୍ଧ) ନିକଟରେ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀ ହୁଡ଼ାରେ ପରିସ୍ରା କରିବାକୁ ନେଇ ସୃଷ୍ଟି ହୋଇଥିବା ବଚସା ଶେଷରେ ଜଣେ ୧୭ ବର୍ଷର ନାବାଳକଙ୍କ ଜୀବନ ନେଇଛି।ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ, ଫୁଲଟା ଗ୍ରାମର ଶିବରାମ ଶାସମଲଙ୍କ ପୁଅ କୃଷ୍ଣଚନ୍ଦ୍ର ଶାସମଲ (୨୮) ଖଜୁରିଆ ଘାଟ ବନ୍ଧ ନିକଟକୁ ପରିସ୍ରା କରିବାକୁ ଯାଇଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଖଜୁରିଆ ଗ୍ରାମର ଆଇ ଭାସ୍କରଙ୍କ ପୁଅ ଆଇ ସାନିଆ (୧୭) ଏବଂ ତାଙ୍କ ସାଙ୍ଗମାନେ ପୋଖରୀ ବନ୍ଧରେ ପରିସ୍ରା କରିବାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ଏବଂ ପରେ ଠେଲାପେଲା ହୋଇଥିଲା। ଏହି ଗଣ୍ଡଗୋଳ ସମୟରେ କୃଷ୍ଣଚନ୍ଦ୍ର ଶାସମଲ ନାବାଳକ ଆଇ ସାନିଆଙ୍କ ମୁହଁକୁ ଏକ ଶକ୍ତ ବିଧା ମାରିଥିଲେ। ବିଧା ବାଜିବା ମାତ୍ରେ ସାନିଆ ସେଠାରେ ଅଚେତ ହୋଇ ପଡ଼ିଯାଇଥିଲେ।ଡାକ୍ତରଖାନାରେ ମୃତ ଘୋଷଣା: ସାନିଆ ଅଚେତ ହୋଇଯିବା ପରେ ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରର ଏମକେସିଜି (ଗକଉଏ) ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ‘ମୃତ’ ଘୋଷଣା କରିଥିଲେ। ପୋଲିସର ତଦନ୍ତ ଜାରି:ଘଟଣା ସମ୍ପର୍କରେ ଖବର ପାଇ ବ୍ରହ୍ମପୁର ଏସପି (ଝଚ), ଟାଉନ ଏସଡିପିଓ (ଝଊଚଙ) ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳ ସହ ଡାକ୍ତରଖାନା ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀମାନଙ୍କ ବୟାନ ରେକର୍ଡ କରିବା ସହ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ଶାସମଲଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ମାମଲାରେ ଗୋସାଇଁନୂଆଗାଁ ଥାନାରେ କେସ୍ ନମ୍ବର ୨୨୮/୨୦୨୬ ଏବଂ ଭାରତୀୟ ନ୍ୟାୟ ସଂହିତା (ଈଘଝ) ର ଧାରା ୧୦୩ (୧) ଅନୁଯାୟୀ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମର୍ଗ ହାଉସରେ ରଖାଯାଇଛି ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।
