ପିପିଲ: ପୁରୀ ଜିଲ୍ଲା ପିପିଲିରୁ ଆସିଛି ଏକ ଦୁଃଖ ଦାୟକ ଖବର। ଟ୍ରେନରୁ ଖସି ଗୁରୁତର ଆହତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି ପିପିଲି ପୌରାଞ୍ଚଳ ଜୟପୁରହାଟ ଗ୍ରାମର ୨୮ ବର୍ଷୀୟ ଯୁବକ ସୋମନାଥ ମହାରଣା। ଦୁର୍ଘଟଣାରେ ତାଙ୍କର ଡାହାଣ ହାତ କାଟିବାକୁ ପଡ଼ିଥିବା ବେଳେ, ଡାହାଣ ଗୋଡ଼ର ଅପରେସନ ପାଇଁ ୪ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଆବଶ୍ୟକ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଅର୍ଥାଭାବରେ ପରିବାର ଲୋକେ ଅସହାୟ ହୋଇ ପଡ଼ିଥିବା ବେଳେ ସହଯୋଗ ପାଇଁ ବ୍ୟାକୁଳ ନିବେଦନ କରିଛନ୍ତି। ପିପିଲି ପୌରାଞ୍ଚଳ ଜୟପୁରହାଟ ଗ୍ରାମର ସୋମନାଥ ମହାରଣା ଆନ୍ଧ୍ରପ୍ରଦେଶର କାଙ୍କିନଡା ସ୍ଥିତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ। ଗତ ୧୯ ତାରିଖରେ ଭୁବନେଶ୍ୱରରୁ ଟ୍ରେନ ଯୋଗେ କର୍ମସ୍ଥଳକୁ ଯାଉଥିବା ବେଳେ ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ସାମଲାକୋଟ ନିକଟରେ କୈଣସି କାରଣ ରୁ ଚଳନ୍ତା ଟ୍ରେନରୁ ସେ ଖସି ପଡ଼ିଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ରେଳବାଇ ପୋଲିସ ତାଙ୍କୁ ଉଦ୍ଧାର କରି ସାମଲାକୋଟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରବର୍ତ୍ତୀ ସମୟରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ପରେ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଇଥିଲେ। ଚିକିତ୍ସା ସମୟରେ ସୋମନାଥଙ୍କ ଡାହାଣ ହାତ ସମ୍ପୂର୍ଣ୍ଣ କାଟିବାକୁ ପଡ଼ିଥିବା ବେଳେ, ଡାହାଣ ଗୋଡ଼ର ଅପରେସନ ପାଇଁ ୪ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଏତେ ବଡ଼ ଅର୍ଥ ଯୋଗାଡ଼ କରିବା ଗରିବ ପରିବାର ପାଇଁ ଅସମ୍ଭବ ହୋଇପଡ଼ିଛି। ସ୍ୱର୍ଗତ ଶଙ୍କର ମହାରଣାଙ୍କ ପୁଅ ସୋମନାଥଙ୍କ ଏହି ଅବସ୍ଥା ଦେଖି ବିଧବା ମା’ ଶୈଳ ମହାରଣା ପୁରା ଭାଙ୍ଗି ପଡ଼ିଛନ୍ତି। ଅର୍ଥାଭାବ ମଧ୍ୟରେ ପୁଅର ଚିକିତ୍ସା କିପରି ହେବ, ତାହାକୁ ନେଇ ସେ ଗଭୀର ଚିନ୍ତାରେ ଥାଇ ସମସ୍ତ ଙ୍କୁ ବ୍ୟାକୁଳ ହୋଇ ସହଯୋଗ ପାଇଁ ନିବେଦନ କରିଛନ୍ତି । ଏଭଳି କଠିନ ସମୟରେ ଜୟପୁରହାଟ ଗ୍ରାମର ଯୁବକ ଏବଂ ମହାବୀର କ୍ଲବର ସଦସ୍ୟମାନେ ସହଯୋଗର ହାତ ବଢ଼ାଇଛନ୍ତି। ଏଥିସହ ସ୍ଥାନୀୟ ବିଧାୟକଙ୍କ ନିକଟରେ ମଧ୍ୟ ସହାୟତା ପାଇଁ ନିବେଦନ କରାଯାଇଥିବା ବେଳେ ପୂର୍ବତନ ବିଧାୟକ ଆହତ ଯୁବକ ଙ୍କ ଉତମ ଚିକିତ୍ସା ଓ ଅପରେସନ ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସେ କହିଛନ୍ତି । ଏପଟେ ମା’ ଶୈଳ ମହାରଣା ସରକାର, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଦୟାଳୁ ବ୍ୟକ୍ତିମାନଙ୍କୁ ପୁଅର ଚିକିତ୍ସା ପାଇଁ ସହଯୋଗ କରିବାକୁ ନିବେଦନ କରିଛନ୍ତି।
