କଟକ: କଟକ ଚୌଦ୍ୱାର ସର୍କଲ ଜେଲରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଫେରାର ଘଟଣାରେ ନୂଆ ମୋଡ଼। ବଢିଲା ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ଓ ଚୌଦ୍ୱାର ସର୍କଲ ଜେଲ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଅଡ଼ୁଆ। ଉଭୟଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର। ଜେଲ୍ ରୁ ଫେରାର ହେବାରେ ଦୁଇ ଅପରାଧୀଙ୍କୁ ସେମାନେ ସହଯୋଗ କରିଥିବା ଓ ସତ ଚାପିବାକୁ ଜାଲ୍ ଦସ୍ତଖତ କରିବା ସହିତ ସରକାରୀ ଦସ୍ତାବିଜ ହେରଫେର କରିଥିବା ଅଭିଯୋଗ ଆଣିଛନ୍ତି ସୁଜିତ। ଉଭୟ ସରକାରୀ ପଦର ଅପବ୍ୟବହାର କରିଥିବା ନେଇ ସୁଜିତ କୁମାର ଚୌଦ୍ୱାର ଥାନାରେ ଅନଲାଇନରେ ଲିଖିତ ଅଭିଯୋଗ ଦେଇଛନ୍ତି। ୨୦୨୫ ଅକ୍ଟୋବର ୩ରେ ଦଶହରା ସମୟରେ ୨ ବିହାରୀ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ ଚୌଦ୍ୱାର ସର୍କଲ୍ ଜେଲ୍ ରୁ ଫେରାର ହୋଇଯାଇଥିଲେ। ବରିଷ୍ଠ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ସରକାରୀ ଦସ୍ତାବିଜ ଜାଲିଆତି କରିବା ନେଇ ତତ୍କାଳୀନ ଜେଲର୍ ସନ୍ତୋଷିନୀ ଦାଶ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ହଟଚମଟ ସୃଷ୍ଟି ହୋଇଥିଲା। ବିହାରୀ କଏଦୀ ଫେରାର୍ ଓ ଜେଲ ବିଭାଗରେ ହେଉଥିବା ବ୍ୟାପକ ଅନିୟମିତତା ପଛରେ ଜେଲ୍ ଅଧିକ୍ଷକଙ୍କ ସମେତ ଜେଲ ଊଏଙ୍କ ହାତ ଥିବା ସନ୍ଦେହ କରି ଅନଲାଇନ୍ ଅଭିଯୋଗ ଦାଖଲ କରିଛନ୍ତି ରାଜ୍ୟସଭା ସାଂସଦ ସୁଜିତ୍ କୁମାର। ତେବେ ଏ ସଂପର୍କରେ ଜେଲ୍ ଡିଜି ସୁଶାନ୍ତ ନାଥ, ଚୌଦ୍ୱାର ସର୍କଲ୍ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
