ବାରିପଦା: ମୟୂରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ବ୍ଲକ,ମହୁଲଡିହା ଥାନା ଅନ୍ତର୍ଗତ କେଶଡିହା ପଞ୍ଚାୟତର ମିଟୁଆଣି ଗ୍ରାମରେ ଘଟିଥିବା ବଜ୍ରାଘାତ ଘଟଣାରେ ଆହତ ହୋଇଥିବା ଜଣେ ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ମିଟୁଆଣି ଗ୍ରାମର ରମାକାନ୍ତ ବଂଶୁଳିଆଙ୍କ ସ୍ତ୍ରୀ ପାର୍ବତୀ ବଂଶୁଳିଆ (୪୮)।
ସୂଚନା ଅନୁଯାୟୀ, ଗତ ୮ ତାରିଖ ଅପରାହ୍ନ ପ୍ରାୟ ୩ଟା ସମୟରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେଉଥିଲା। ସେହି ସମୟରେ ପାର୍ବତୀ ବଂଶୁଳିଆ ନିଜ ଘରର ପଛପଟେ ଥିବାବେଳେ ଘର ନିକଟରେ ଥିବା ଏକ ବାଉଁଶ ଗଛରେ ବଜ୍ରାଘାତ ହୋଇଥିଲା। ବଜ୍ରାଘାତର ପ୍ରଭାବରେ ପାର୍ବତୀ ଗୁରୁତର ଭାବେ ଆହତ ହୋଇଥିଲେ।
ପରିବାର ଲୋକ ତୁରନ୍ତ ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବାରୁ ପରିବାର ଲୋକ ତାଙ୍କୁ ଘରକୁ ନେଇଯାଇଥିଲେ। କିନ୍ତୁ ଗୁରୁବାର ସକାଳେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପୁଣି ଅବନତି ହୋଇଥିଲା। ଅସୁସ୍ଥତା ଅନୁଭବ କରିବାରୁ ପରିବାର ସଦସ୍ୟମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପୁନର୍ବାର ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।
ତେବେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଚାଲିଥିବାବେଳେ ପାର୍ବତୀ ବଂଶୁଳିଆଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ମହୁଲଡିହା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ମୃତଦେହକୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ର ଜଣାପଡ଼ିଛି।
ପୁଲିସ ଏହି ଘଟଣାର ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଘଟଣା ପରେ ମିଟୁଆଣି ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ଲୋକମାନେ ମୃତ ପାର୍ବତୀଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି।
