ଜଗତସିଂହପୁର: ବାଲିକୁଦା ଥାନା ଅଞ୍ଚଳର ଆମ୍ବଶାଳ ଚାରି ଛକରେ ଚଢାଉ କରି ଜଣେ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ରେଞ୍ଜ। ଆମ୍ବଶାଳ ବଜାର ରେ ଦୀର୍ଘ ଦିନ ହେବ ବ୍ରାଉନସୁଗାର କାରବାର ଲୁଚାଛପାରେ ଚାଲୁଥିବାର ଏକ ଅଭିଯୋଗକୁ ଭିତ୍ତି କରି ଜଗତସିଂହପୁର ଅବକାରୀ ରେଞ୍ଜ ର ଇନ୍ସପେକ୍ଟର ଖିତୀଶ ଦାସଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ସବ୍ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଲାଇ ଏବଂ କର୍ମଚାରୀମାନଙ୍କ ସହଯୋଗରେ ଏକ ଟିମ ଚଢାଉ କରିଥିଲେ। ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳ ରୁ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ଆମ୍ବଶାଳ ବଜାର ସ୍ଥିତ ଚାରିଛକ ନିକଟରୁ କାବୁ କରିନେଇଥିଲେ। ଯାଞ୍ଚ ପରେ ତାଙ୍କ ନିକଟରୁ ୫୫ ଗ୍ରାମର ବେଆଇନ ହେରୋଇନ, ଏକ ବଜାଜ ପଲସର ମୋଟରସାଇକେଲ (ନଂ- ଓଡି-୨୧-କ୍ୟୁ-୦୦୮୩) ଏବଂ ଏକ ଆଣ୍ଡ୍ରଏଡ ଫୋନ ଜବତ କରାଯାଇଥିଲା। ଗିରଫ ଅଭିଯୁକ୍ତ ଜଣକ ହେଲେ ଆମ୍ବଶାଳ ଗ୍ରାମର ହେମନ୍ତ ସାହୁଙ୍କ ଙ୍କ ପୁଅ ଶିବାନୀ ସାହୁ (୩୮)। ଜବତ ହେରୋଇନ ସହ ମୋଟରସାଇକେଲ ର ଆନୁମାନିକ ମୂଲ୍ଯ ୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବାର ପ୍ରକାଶ କରିଛନ୍ତି ଜଗତସିଂହପୁର ରେଞ୍ଜ ଇନ୍ସପେକ୍ଟର ଖିତୀଶ ଦାସ।

ଅଭିଯୁକ୍ତଙ୍କୁ ଜଗତସିଂହପୁର ଅବକାରୀ ରେଞ୍ଜ କେସ୍ ନଂ ୫୫?୨୦୨୬-୨୭ରେ ଗିରଫ କରାଯାଇ ଏନ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ମାମଲା ଋଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ ଙ୍କ ଅଦାଲତକୁ ଚାଲାଣ କରାଯାଇଛି। ସେହିପରି ଅନ୍ୟ ଏକ ଘଟଣାକ୍ରମେ ତିର୍ତ୍ତୋଲ ଅବକାରୀ ଥାନାର ସବ୍ଇନ୍ସପେକ୍ଟର ରବି ବେହେରାଙ୍କ ନେତୃତ୍ୱରେ ଅଉ ଗୋଟିଏ ଟିମ୍ ତିର୍ତ୍ତୋଲ ଥାନା ଅନ୍ତର୍ଗତ ତେନ୍ତୁଲିପଦା ଗ୍ରାମର ଗାଦି ମହାପୁରୁଷ ମନ୍ଦିର ପାଖରେ ଚଢାଉ କରି ୯୪୦ ଗ୍ରାମର ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ସେହି ଗ୍ରାମର ନରେନ୍ଦ୍ର କୁମାର ସାହୁଙ୍କୁ ତିର୍ତ୍ତୋଲ ଅବକାରୀ ଥାନାର କେସ୍ ନଂ ୮୭?୨୦୨୬-୨୭ରେ ଗିରଫ କରି ଏନ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ମାମଲା ଋଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ୍ ଙ୍କ ଅଦାଲତକୁ ଚାଲାଣ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଆଜିର ଏହି ଚଢାଉ ରେ ଜଗତସିଂହପୁର ଅବକାରୀ ରେଞ୍ଜ ର କନଷ୍ଟେବଳ ଅନୁରାଗ ସୂର୍ୟବଂଶୀ, ଲକ୍ଷ୍ମୀନାରାୟଣ ମଲ୍ଲିକ, ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର କନଷ୍ଟେବଳ ବିଶ୍ୱରଞ୍ଜନ ସ୍ୱାଇଁ, ସୁକାନ୍ତ ମାଝୀ, ପ୍ରମୁଖ ସାମିଲ ଥିଲେ। ନାର୍କୋଟିକ୍ସ ବ୍ୟବସାୟ ବିରୋଧରେ ଚଢାଉ କୁ ଅଧିକ ତୀବ୍ରତର କରାଯିବ ସହ ଶୂନ୍ଯସହନଶୀଳ ନୀତିରେ ସମସ୍ତ ଅଭିଯୁକ୍ତଙ୍କୁ ଦମନ କରିବା ପାଇଁ ଆଗାମୀ ଦିନରେ ଅବକାରୀ ବିଭାଗ ତାର ପ୍ରୟାସ ଜାରି ରଖିବ ବୋଲି ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ପ୍ରକାଶ କରିଛନ୍ତି।
