ନୋଏଡା: ଆଜି ଅପରାହ୍ନରେ ନୋଏଡାର ସେକ୍ଟର ୧୨୫ ଅଞ୍ଚଳରେ ଲାଗିଥିବା ଏକ ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରାୟପୁର ଅଞ୍ଚଳରେ ଲାଗିଥିବା ଏହି ନିଆଁ ଅନ୍ତତଃ ପାଞ୍ଚଟି ଦୋକାନକୁ ଗ୍ରାସ କରିନେଇଥିଲା। ପରେ ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳର ଭିଡିଓରେ କଳା ଧୂଆଁର କୁଣ୍ଡଳୀ ଉପରକୁ ଉଠୁଥିବା ଏବଂ ନିକଟସ୍ଥ ରାସ୍ତାଗୁଡ଼ିକୁ ଖାଲି କରାଯାଉଥିବା ଦେଖିବାକୁ ମିଳିଥିଲା।
ନୋଏଡା ପୋଲିସର ସୂଚନା ଅନୁଯାୟୀ, ସେକ୍ଟର ୧୨୬ ଥାନା ଅଧୀନ ରାୟପୁର ଅଞ୍ଚଳରେ ଥିବା ପାଞ୍ଚଟି ଅସ୍ଥାୟୀ ଚା’ ଓ ଜଳଖିଆ ଦୋକାନରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଦୋକାନଗୁଡ଼ିକରୁ ଲୋକଙ୍କୁ ବାହାର କରିଥିଲେ ଏବଂ ୬ଟି ଅଗ୍ନିଶମ ଗାଡ଼ି ସାହାଯ୍ୟରେ ନିଆଁକୁ ଲିଭାଇଥିଲେ। ନିଆଁ ଲିଭାଇବା ସମୟରେ ଜଣେ ବ୍ୟକ୍ତି ଅଚେତ ଅବସ୍ଥାରେ ମିଳିଥିଲେ, ଯାହାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ମୃତକଙ୍କ ପରିଚୟ ସ୍ପଷ୍ଟ କରାଯାଇନାହିଁ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ, କିନ୍ତୁ ପ୍ରାଥମିକ ସୂଚନା ଅନୁଯାୟୀ ଏହା ଏକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ନୋଏଡା ଅଗ୍ନିଶମ ବିଭାଗର ମୁଖ୍ୟ କହିଛନ୍ତି ଯେ, ପୋଡ଼ିଯାଇଥିବା ଦୋକାନଗୁଡ଼ିକ ଭିତରୁ ବହୁ ସଂଖ୍ୟକ ଏଲପିଜି ସିଲିଣ୍ଡର ମିଳିଛି। ନୋଏଡାର ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର କହିଛନ୍ତି, “ଆମେ ଭିତରୁ ବହୁ ସଂଖ୍ୟକ ଏଲପିଜି ସିଲିଣ୍ଡର ପାଇଛୁ। ବର୍ତ୍ତମାନ ଆମେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ କେହି ଭିତରେ ଫସି ରହିଛନ୍ତି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚଳାଇଛୁ।
