ମାନିଲା: ଫିଲିପାଇନ୍ସ ବାୟୁସେନାର ଦୁଇଟି ସାମରିକ ବିମାନ ଏକ ପ୍ରଶିକ୍ଷଣ ଅଭ୍ୟାସ ସମୟରେ ଆକାଶମାର୍ଗରେ ପରସ୍ପର ସହ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଚାରି ଜଣ ପାଇଲଟ୍ ପ୍ରାଣ ହରାଇଛନ୍ତି। ଏହି ଘଟଣା ଶୁକ୍ରବାର ଦିନ ଦେଶର ବାଟାଙ୍ଗାସ୍ ପ୍ରଦେଶରେ ଥିବା ଫର୍ଣ୍ଣାଣ୍ଡୋ ଏୟାର ବେସ୍ଠାରେ ଘଟିଛି। ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଟି ବିମାନ ପରସ୍ପର ସହ ଧକ୍କା ହୋଇ ତଳକୁ ଖସିପଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଫିଲିପାଇନ୍ସ ବାୟୁସେନା ଏକ ବିବୃତ୍ତିରେ କହିଛି ଯେ, ଏହି ଦୁର୍ଘଟଣାରେ ଦୁଇଟି ଏସ୍ଏଫ-୨୬୦ ବିମାନ ସାମିଲ ଥିଲା। ବିମାନଗୁଡ଼ିକ ବାୟୁସେନା ଘାଟି (ଏୟାର ବେସ୍) ପରିସର ମଧ୍ୟରେ ହିଁ ଖସିପଡ଼ିଥିଲା ଏବଂ ଅନ୍ୟ କୌଣସି ବ୍ୟକ୍ତିଙ୍କ ମୃତାହତ ହେବାର ଖବର ମିଳିନାହିଁ। ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ଆକାଶମାର୍ଗରେ ବିମାନଗୁଡ଼ିକ କାହିଁକି ଧକ୍କା ହେଲେ, ସେ ନେଇ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଫିଲିପାଇନ୍ସ ବାୟୁସେନା ଏକ ପ୍ରେସ୍ ବିବୃତ୍ତିରେ କହିଛି, ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ସୁରକ୍ଷା ଦୃଷ୍ଟିରୁ ସମସ୍ତ ଏସଏଫ-୨୬୦ ବିମାନର ଉଡ଼ାଣକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ତେବେ, ପ୍ରାଣ ହରାଇଥିବା ଚାରି ଜଣ ପାଇଲଟଙ୍କ ନାମ ଏଥିରେ ଉଲ୍ଲେଖ କରାଯାଇନାହିଁ।
