ଚଣ୍ଡିଖୋଲ: ଏକ ଜଳଖିଆ ଦୋକାନରେ ଲଗାଯାଇଥିବା ଗ୍ୟାସ ସିଲିଣ୍ଡର ଲିକ ହୋଇଯିବାରୁ ଅଗ୍ନିକାଣ୍ଡ ଘଟି ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ବଡ଼ଚଣା ବ୍ଲକ ତଥା ଦର୍ପଣ ପଞ୍ଚାୟତ ଅନ୍ତର୍ଗତ ଗୁଲଜାରନଗରପାଟଣା ଗ୍ରାମ ଛକ ଠାରେ ଥିବା ଏକ ଛୋଟ ବଜାରରେ ଏହି ଗ୍ରାମର ଗିରିଜାକାନ୍ତ ସାହାଣୀ (୪୪) ଏକ ଜଳଖିଆ ଦୋକାନ କରି ପରିବାର ପ୍ରତି ପୋଷଣ କରି ଆସୁଥିଲେ । ତେବେ ଆଜି ସକାଳେ ଗିରିଜାକାନ୍ତ ତାଙ୍କ ଦୋକାନରେ ଛଣାଛଣି କରୁଥିବା ବେଳେ କୌଣସି କାରଣରୁ ତାଙ୍କ ଗ୍ୟାସ ସିଲିଣ୍ଡର ଲିକ ହୋଇ ଯାଇ ସେଥିରେ ନିଆଁ ଲାଗିଯାଇଥିଲା । ଫଳରେ ଦୋକାନୀ ଗିରିଜାକାନ୍ତଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଏହା ଦେଖି ନିକଟରେ ଥିବା ତାଙ୍କ ବାପା ଖଗେଶ୍ୱର ସାହାଣୀ (୭୬)ଗିରିଜାକାନ୍ତଙ୍କ ପାଖକୁ ଆସିଯିବାରୁ ତାଙ୍କ ଦେହରେ ମଧ୍ୟ ଲାଗିଯାଇଥିଲା । ତେବେ ଏହା ଦେଖି ନିକଟରେ ଥିବା ତାଙ୍କ ବନ୍ଧୁ ସମୀର ସାମଲ (୩୩) ଏମାନଙ୍କୁ ଉଦ୍ଧାର କରିବାକୁ ଆସି ସେ ମଧ୍ୟ ନିଆଁର ଶିକାର ହୋଇଥିଲେ । ପରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ଆସି ଦମକଳ ବହିନୀକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଆସି ସେମାନଙ୍କୁ ଉଦ୍ଧାର କରି ବଡ଼ଚଣା ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତିନି ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ ଗିରିଜାକାନ୍ତଙ୍କ ଦୋକାନର କିଛି ଅଂଶ ସମେତ କେତେକ ସାମଗ୍ରୀ ପୋଡି ଯାଇଥିବା ଜଣାଯାଇଛି ।
