ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୁରୁବାର ଦିନ ଇନଷ୍ଟାଗ୍ରାମରେ ପ୍ରବେଶ କରିଛନ୍ତି। ସେ ନିଜର ଆଗାମୀ ପୁସ୍ତକ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ କହିଛନ୍ତି ଯେ ଏହା ହେଉଛି ପ୍ରେମ, କର୍ତ୍ତବ୍ୟ, କ୍ଷତି ଏବଂ ନିଜର ଏକ ସ୍ଥାନ ଖୋଜି ପାଇବାର କାହାଣୀ। ଗାନ୍ଧୀ ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜର ଆଗାମୀ ପୁସ୍ତକ “ବିଲଙ୍ଗିଙ୍ଗ୍: ଏ ଜର୍ଣ୍ଣି ଅଫ୍ ଲଭ୍’ର କପି ଗ୍ରହଣ କରୁଥିବାର ଦେଖାଯାଉଛନ୍ତି। ଇନ୍ଷ୍ଟାଗ୍ରାମ ପୋଷ୍ଟରେ ସେ ଲେଖିଛନ୍ତି, “ସମସ୍ତଙ୍କୁ ନମସ୍କାର, ଆପଣମାନଙ୍କ ସହ ଏହି ମୁହୂର୍ତ୍ତକୁ ବାଣ୍ଟି ପାରୁଥିବାରୁ ମୁଁ ଅତ୍ୟନ୍ତ କୃତଜ୍ଞ; ଏହା ହେଉଛି ‘ବିଲଙ୍ଗିଙ୍ଗ୍: ଏ ଜର୍ଣ୍ଣି ଅଫ୍ ଲଭ୍’ର ପ୍ରଥମ ଝଲ୍କ। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଆହୁରି ମଧ୍ୟ କହିଛନ୍ତି, “ଏହା ପ୍ରେମ, କର୍ତ୍ତବ୍ୟ, କ୍ଷତି ଏବଂ ନିଜର ଏକ ସ୍ଥାନ ଖୋଜି ପାଇବାର କାହାଣୀ। ମୁଁ ଆପଣମାନଙ୍କ ସହ ଏହାକୁ ବାଣ୍ଟିବାକୁ ଅପେକ୍ଷା କରିଛି।’ ଭିଡିଓରେ ଗାନ୍ଧୀ ନିଜ ପୁସ୍ତକର ପ୍ରଥମ କପି ଗ୍ରହଣ କରୁଛନ୍ତି ଏବଂ ଏହି ଉପଲକ୍ଷେ ନିଜ ଝିଅ ପ୍ରିୟଙ୍କା ଗାନ୍ଧୀ ଭାଦ୍ରାଙ୍କ ସହ ମିଠା ବାଣ୍ଟୁଥିବାର ଦେଖାଯାଉଛନ୍ତି। ଗାନ୍ଧୀ ଉଲ୍ଲେଖ କରିଛନ୍ତି ଯେ ଏହି ପୁସ୍ତକରେ ଅନେକ ଫଟୋଚିତ୍ର ରହିଛି। ଗତ ମାସରେ, ହାର୍ପରକଲିନ୍ସ ଇଣ୍ଡିଆ ଘୋଷଣା କରିଥିଲା ଯେ ସେ ନଭେମ୍ବର ୧୦ ତାରିଖରେ ଭାରତରେ ଗାନ୍ଧୀଙ୍କ ଆତ୍ମଜୀବନୀ “ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ୍ ଲଭ୍’ ପ୍ରକାଶ କରିବ। ଲେଖିକାଙ୍କ ପ୍ରତିନିଧି ଏବଂ ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ଇଣ୍ଡିଆ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦ କାରଣରୁ ପୁସ୍ତକ ପ୍ରକାଶନ ନେଇ ଦେଖାଦେଇଥିବା ଅନିଶ୍ଚିତତାର ଏହା ଅନ୍ତ ଘଟାଇଛି। ହାର୍ପରକଲିନ୍ସ ଇଣ୍ଡିଆ ଏକ ବିବୃତ୍ତିରେ କହିଛି, “ଆମ କଂଗ୍ରେସର ଅନେକ ନେତା ସରକାରୀ ଚାପ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ସମ୍ବନ୍ଧୀୟ ପ୍ରସଙ୍ଗ ଉଠାଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆରଏସ୍ଏସ୍ ଏବଂ ମୋଦୀ ଶାସନ କାଳରେ ଭାରତୀୟ ଭୂଖଣ୍ଡ ଉପରେ ଚୀନ୍ର କବ୍ଜା ସମ୍ବନ୍ଧୀୟ ଅଂଶଗୁଡ଼ିକୁ ହଟାଇବା ପାଇଁ ପେଙ୍ଗୁଇନ୍ ଇଣ୍ଡିଆ ଉପରେ ଚାପ ପକାଯାଇଥିଲା। ଏକ ବିବୃତ୍ତିରେ ପିଆରଏଚ୍ଆଇ ସ୍ପଷ୍ଟ କରିଛି ଯେ, ସେମାନେ ଏହି ପୁସ୍ତକଟିକୁ ପ୍ରକାଶ କରିବାକୁ ଅତ୍ୟନ୍ତ ଆଗ୍ରହୀ ଥିଲେ ଏବଂ ଏହାକୁ ଏକ କଷ୍ଟସାଧ୍ୟ ଉପଲବ୍ଧି ବୋଲି ବର୍ଣ୍ଣନା କରିଥିଲେ। ତଥାପି, ଏକ ନିର୍ଦ୍ଦିଷ୍ଟ ବିଷୟକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା କାରଣରୁ ଶେଷରେ ସେମାନେ ଏଥିରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲେ। କୌଣସି ପ୍ରକାରର ବାହ୍ୟ ଚାପ ନଥିବା କଥା ଦୋହରାଇବା ସତ୍ତ୍ୱେ, ପିଆରଏଚ୍ଆଇ ଏହି ଅଚଳାବସ୍ଥାର ପ୍ରକୃତ କାରଣ ପ୍ରକାଶ କରିବାକୁ ମନା କରିଦେଇଛି। ଏଥିପାଇଁ ସେମାନେ ଗୋପନୀୟତା ସର୍ତ୍ତ ଏବଂ ଲେଖକଙ୍କ ସହ ହୋଇଥିବା ଚୁକ୍ତିନାମାର ଦ୍ୱାହି ଦେଇଛନ୍ତି। ‘ବିଲଙ୍ଗିଙ୍ଗ୍’ ପୁସ୍ତକଟି ଇଟାଲୀର ଭେନେଟୋ ଅଞ୍ଚଳରେ ଗାନ୍ଧୀଙ୍କ ପିଲାଦିନରୁ ଆରମ୍ଭ ହୁଏ ଏବଂ କେମ୍ବ୍ରିଜ୍କୁ ତାଙ୍କ ଯାତ୍ରା ବିଷୟରେ ବର୍ଣ୍ଣନା କରେ। ସେଠାରେ ୧୯୬୫ ମସିହାରେ ତାଙ୍କର ସାକ୍ଷାତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାତି ରାଜୀବ ଗାନ୍ଧୀଙ୍କ ସହ ହୋଇଥିଲା। ଏହି ସ୍ମୃତିକଥାରେ ରାଜୀବ ଗାନ୍ଧୀଙ୍କ ସହ ତାଙ୍କ ବିବାହ ଏବଂ ନିଜ ଶାଶୂ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ପରିଚୟ ବିଷୟରେ ଉଲ୍ଲେଖ ରହିଛି। ଏହା ସହିତ, ଭାରତୀୟ ଜୀବନଶୈଳୀ ସହ ଖାପ ଖୁଆଇବା ପାଇଁ ତାଙ୍କର ପ୍ରୟାସ—ଯେପରିକି ହିନ୍ଦୀ ଶିଖିବା, ଶାଢ଼ି ପିନ୍ଧିବା ଏବଂ ଭାରତୀୟ ଖାଦ୍ୟ ଓ ସଂସ୍କୃତିକୁ ଆପଣାଇବା—ବିଷୟରେ ମଧ୍ୟ ଏଥିରେ ବର୍ଣ୍ଣନା କରାଯାଇଛି।
