ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଗାଡ଼ିକୁ ଲକ୍ଷ୍ୟ କରି ଗୁଳିଚାଳନା ଘଟଣାର ତଦନ୍ତ ଏକ ନୂଆ ମୋଡ଼ ନେଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ୪ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଏମାନେ ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ଗୁଳି ଚଳାଇଥିବା ବ୍ୟକ୍ତିମାନଙ୍କୁ ଖସିଯିବାରେ ସାହାଯ୍ୟ କରିବା ସହ ଜଡ଼ିତ ଥିଲେ। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଅକ୍ଟୋବର ୨୦ ତାରିଖରେ ଏହି ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ହରିୟାଣାର ସୋନିପତ ଜିଲ୍ଲାର କୁନାଲ (୨୧) ଓ ସୁମିତ (୧୯), ଏବଂ ଉତ୍ତର ପ୍ରଦେଶର ସୀତାପୁରର ରାଧା (୨୩) ଓ ଆଜମଗଡ଼ର ବବିତା (୨୩)। ତଦନ୍ତକାରୀ ଦଳ ଅମୃତସରରୁ ମୁମ୍ବାଇକୁ ପିସ୍ତଲ ଓ ଗୁଳିଗୋଳା ପରିବହନ, ଅସ୍ତ୍ରଶସ୍ତ୍ର ପହଞ୍ଚାଇବାରେ ମଧ୍ୟସ୍ଥିମାନଙ୍କ ଭୂମିକା ଏବଂ ଘଟଣା ପରେ ଗୁଳି ଚଳାଇଥିବା ବ୍ୟକ୍ତିମାନଙ୍କୁ ସହରରୁ ବାହାରି ଯିବାରେ ସାହାଯ୍ୟ କରିବା ଉଦ୍ୟମ ଉପରେ ଯାଞ୍ଚ କରୁଛନ୍ତି। ପୋଲିସର କହିବା ଅନୁଯାୟୀ, ଅସ୍ତ୍ରଶସ୍ତ୍ର ପରିବହନ କରିବାରେ ଏହି ଚାରି ଜଣଙ୍କ ଭୂମିକା କ’ଣ ଥିଲା, ସେ ନେଇ ତଦନ୍ତ ଚାଲିଛି। କୁନାଲ ନିକଟରେ ଜାମିନରେ ଜେଲରୁ ମୁକୁଳିଥିଲା। ଅଭିଯୋଗ ଅନୁଯାୟୀ, ସେ ଜଣେ ବନ୍ଧୁଙ୍କ ମାଧ୍ୟମରେ ଅନିଲ ପଣ୍ଡିତଙ୍କ ସହ ଭେଟିଥିଲା। ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ପରବର୍ତ୍ତୀ ସମୟରେ ଉଭୟ ଏକ ଏନକ୍ରିପଟେଡ୍ ମେସେଜିଂ ଆପ୍ଲିକେସନ୍ ମାଧ୍ୟମରେ ଯୋଗାଯୋଗ କରୁଥିଲେ। ପୋଲିସର ଅଭିଯୋଗ ଅନୁଯାୟୀ, ଅନିଲ ପଣ୍ଡିତଙ୍କ ନିର୍ଦ୍ଦେଶରେ କୁନାଲ ଅମୃତସରରୁ ଏକ ପିସ୍ତଲ ଓ ୨୦ଟି ଗୁଳି ଆଣିଥିଲା। ଏହି ଯାତ୍ରା ସମୟରେ ସୁମିତ ମଧ୍ୟ ତା’ ସହିତ ଥିଲା। ପୋଲିସର ତଥ୍ୟ ଅନୁଯାୟୀ, ଘଟଣାର ପ୍ରାୟ ଦୁଇ ମାସ ପୂର୍ବରୁ କୁନାଲ ରାଧାଙ୍କୁ ଭେଟିଥିଲା। ସେ ରାଧାଙ୍କୁ ନିଜର କାର୍ଯ୍ୟକଳାପ ବିଷୟରେ ଜଣାଇଥିଲା ଏବଂ ପରେ ତାଙ୍କୁ ଅସ୍ତ୍ର ଅକ୍ଟୋବର ୧୮ ତାରିଖ ସନ୍ଧ୍ୟାରେ ଗୁଳିଚାଳନା ଘଟଣା ଘଟିଥିଲା। ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ପରେ ଅନିଲ ପଣ୍ଡିତ କୁନାଲକୁ ଜଣାଇଥିଲା ଯେ ଗୁଳି ଚଳାଇଥିବା ବ୍ୟକ୍ତିମାନେ ମୁମ୍ବାଇରେ ଫସି ରହିଛନ୍ତି ଏବଂ ସେମାନଙ୍କୁ ସେଠାରୁ ଖସିଯିବାରେ ସାହାଯ୍ୟ କରିବାକୁ କୁନାଲକୁ କହିଥିଲା। ସେହି ଦିନ ରାଧା ଏବଂ ବବିତା ହରିଦ୍ୱାର ଏକ୍ସପ୍ରେସ ଟ୍ରେନରେ ଦାଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ଅକ୍ଟୋବର ୨୦ ତାରିଖରେ ଏହି ମହିଳାମାନଙ୍କୁ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ଧରାଯାଇଥିଲା, ଅନ୍ୟପକ୍ଷରେ କୁନାଲ ଏବଂ ସୁମିତଙ୍କୁ ସୋନିପତରୁ ଅଟକ ରଖାଯାଇଥିଲା।
ଗୁଳିଚାଳନା ଘଟଣା ପରେ ଅଭିଯୁକ୍ତମାନେ ଗୁଜୁରାଟର ସୁରଟକୁ ପଳାଇ ଯାଇଥିଲେ ଏବଂ ସେଠାରୁ ଜୟପୁର ଯାଉଥିବା ଏକ ଟ୍ରେନରେ ଚଢ଼ିଥିଲେ। ନେପାଳକୁ ପଳାଇବା ପୂର୍ବରୁ ସେମାନଙ୍କର ଯୋଜନା ଥିଲା ଯେ ସେମାନେ ବସ୍ ଯୋଗେ ନୂଆଦିଲ୍ଲୀ ଯିବେ। ଏହି ମାମଲାରେ ମୁମ୍ବାଇ ପୋଲିସ ରାଜସ୍ଥାନର କୋଟା ସହରରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
