ନୂଆଦିଲ୍ଲୀ: ମଙ୍ଗଳବାର ଦିନ ନାଗୋୟା ଠାରେ ଚାଲିଥିବା ଏସୀୟ ପାରା ଗେମ୍ସରେ, ଭାରତର ପ୍ରଣବ ସୁରମା ପୁରୁଷ ଡିସକସ୍ ଥ୍ରୋ (ଏଫ ୫୧/୫୨/୫୩ ମିଶ୍ରିତ ବର୍ଗ)ରେ ଏକ ନୂତନ ଏସୀୟ ରେକର୍ଡ ସ୍ଥାପନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ତାଙ୍କ ଦେଶର ରାମ ରତନ ସିଂହ ରୌପ୍ୟ ପଦକ ଜିତିଛନ୍ତି। ୩୨ ବର୍ଷୀୟ ସୂରମା, ଯିଏ ପୂର୍ବରୁ ଚୀନ୍ରେ ଅନୁଷ୍ଠିତ ଏସୀୟ ପାରା ଗେମ୍ସରେ “କ୍ଲବ୍ ଥ୍ରୋ’ (ଏଫ୫୧ ବର୍ଗ) ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ, ସେ ଏଥର ନିଜର ଚତୁର୍ଥ ପ୍ରୟାସରେ ଡିସକସ୍କୁ ୧୧.୬୬ ମିଟର ଦୂରତାକୁ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିବା ସହ ଏକ ନୂତନ ଏସୀୟ ରେକର୍ଡ ସୃଷ୍ଟି କରିଛନ୍ତି। ୩୧ ବର୍ଷୀୟ ସିଂହ ନିଜର ଦ୍ୱିତୀୟ ପ୍ରୟାସରେ ୧୦.୩୫ ମିଟର ଦୂରତା ଅତିକ୍ରମ କରି ରୌପ୍ୟ ପଦକ ଜିତିଛନ୍ତି। ସୁରମା ଏବଂ ସିଂହ ଉଭୟ ଏଫ୫୧ ବର୍ଗର ଆଥଲେଟ୍ ଅଟନ୍ତି। ଇରାନର ଆଲିରେଜା ହେମାମି (ଏଫ ୫୩ ବର୍ଗର ଆଥଲେଟ୍) ନିଜର ଚତୁର୍ଥ ପ୍ରୟାସରେ ୨୦.୨୦ ମିଟର ଦୂରତା ହାସଲ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ଯଦିଓ ହେମାମି ଅଧିକ ଦୂରତା ପର୍ଯ୍ୟନ୍ତ ଡିସକସ୍ ଫିଙ୍ଗିଥିଲେ, ତଥାପି ତାଙ୍କୁ ସୁରମା ଏବଂ ସିଂହଙ୍କ ତଳେ ସ୍ଥାନ ଦିଆଯାଇଥିଲା। ଏହାର କାରଣ ହେଉଛି “ରାଜା ପଏଣ୍ଟ ସିଷ୍ଟମ’, ଯାହା ବିଭିନ୍ନ ବର୍ଗର ଆଥଲେଟ୍ମାନେ ଏକାଠି ପ୍ରତିଯୋଗିତା କରୁଥିବା ବେଳେ ସେମାନଙ୍କ ମଧ୍ୟରେ ମାନ୍ୟତା ନିର୍ଦ୍ଧାରଣ କରିବା ପାଇଁ ବ୍ୟବହାର କରାଯାଏ। ଏହି ପଦ୍ଧତିରେ, ଆଥଲେଟ୍ଙ୍କ ବର୍ଗୀକରଣ ଅନୁଯାୟୀ ସେମାନଙ୍କ ପ୍ରଦର୍ଶନକୁ ଏକ ନିର୍ଦ୍ଦିଷ୍ଟ ପଏଣ୍ଟ ସ୍କୋରରେ ପରିଣତ କରାଯାଏ। ଯେଉଁ ଆଥଲେଟ୍ମାନଙ୍କର ଶାରୀରିକ ଅକ୍ଷମତା ଅଧିକ ଗମ୍ଭୀର, ସେମାନଙ୍କ କ୍ଷେତ୍ରରେ କମ୍ ଦୂରତା ଅତିକ୍ରମ କରିଥିଲେ ମଧ୍ୟ ସେମାନଙ୍କୁ ଉଚ୍ଚ ମାନ୍ୟତା ମିଳିପାରେ, କାରଣ ସେମାନଙ୍କ ସ୍କୋରକୁ ସେମାନଙ୍କ ବର୍ଗୀକରଣ ଆଧାରରେ ମୂଲ୍ୟାଙ୍କନ କରାଯାଇଥାଏ।
