ପେଶାୱାର: ପାକିସ୍ତାନର ପେଶାୱାରରେ ଗୁରୁବାର ଦିନ ଏକ ସ୍କୁଲ୍ ଛାତ ଭୁଶୁଡ଼ି ପଡ଼ିବାରୁ ଅତିକମରେ ୨୭ ଜଣ ଛାତ୍ରଛାତ୍ରୀ (ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୧୩ ବର୍ଷରୁ କମ୍) ଏବଂ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ସେମାନେ ଚେତାବନୀ ଦେଇଛନ୍ତି ଯେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ। ପେଶାୱାର ଡେପୁଟି କମିଶନର ଅଫାକ୍ ୱାଜିର କହିଛନ୍ତି ଯେ “ଅଲ୍ ଖୈର ସ୍କୁଲ୍’ର ଛାତ ଭୁଶୁଡ଼ି ପଡ଼ିବାରୁ ଛାତ୍ରଛାତ୍ରୀମାନେ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଘଟଣା ଘଟିବା ସମୟରେ ଛାତ୍ରଛାତ୍ରୀମାନେ ନିଜ ନିଜ ଶ୍ରେଣୀଗୃହରେ ଥିଲେ। ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଉଦ୍ଧାରକାରୀ ଦଳ କାର୍ଯ୍ୟ ଜାରି ରଖିଛନ୍ତି। ଲେଡି ରିଡିଂ ହସ୍ପିଟାଲ୍ର ମୁଖପାତ୍ର ମହମ୍ମଦ ଆସିମ୍ ଗଣମାଧ୍ୟମକୁ କହିଛନ୍ତି ଯେ ୭ରୁ ୧୨ ବର୍ଷ ବୟସ୍କ ୨୦ ଜଣ ଛାତ୍ରଛାତ୍ରୀ (୧୮ ଜଣ ବାଳକ ଓ ୨ ଜଣ ବାଳିକା) ଏବଂ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ସେ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଘଟଣାସ୍ଥଳରେ ପହଞ୍ଚିଥିବା ସାମିଉଲ୍ଲାହ ନାମକ ଜଣେ ଅଭିଭାବକ ଗଣମାଧ୍ୟମକୁ କହିଛନ୍ତି ଯେ ସେ ତିନି ଜଣ ବାଳିକାଙ୍କୁ ଉଦ୍ଧାର କରିଛନ୍ତି, ଯେଉଁମାନଙ୍କ ବୟସ ୮ ବର୍ଷରୁ କମ୍ ଥିଲା। ଖୈବର ପାଖ୍ତୁନଖ୍ୱାର ଗଭର୍ଣ୍ଣର ଫୈସଲ କରିମ୍ କୁଣ୍ଡି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ ବିସ୍ତୃତ ରିପୋ ରାଷ୍ଟ୍ରପତି ଆସିଫ୍ ଅଲି ଜରଦାରି “ଏକ୍ସ’ରେ “ଗଭୀର ଆଘାତ ଓ ଦୁଃଖ’ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଏହି ହୃଦୟ ବିଦାରକ ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି।’ ସେ କର୍ତ୍ତୃପକ୍ଷଙ୍କୁ ଆହତମାନଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାକୁ ଏବଂ ପ୍ରଭାବିତ ପରିବାରଗୁଡ଼ିକୁ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେ ଘଟଣାର କାରଣ ସମ୍ପର୍କରେ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଏବଂ ସମସ୍ତ ଶିକ୍ଷାନୁଷ୍ଠାନର କୋଠାଗୁଡ଼ିକ ଯେପରି ସୁରକ୍ଷା ମାନଦଣ୍ଡ ପୂରଣ କରନ୍ତି, ତାହା ନିଶ୍ଚିତ କରିବାକୁ ଆହ୍ୱାନ ଦେଇଛନ୍ତି। ଖୈବର ପାଖତୁନଖ୍ୱାର ଇନ୍ସପେକ୍ଟର ଜେନେରାଲ୍ ଜୁଲଫିକାର ହମିଦ, ପେଶାୱାରର ସିସିପିଓଙ୍କୁ ଉଦ୍ଧାର କାର୍ଯ୍ୟର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଆମ୍ବୁଲାନ୍ସଗୁଡ଼ିକ ଯେପରି ବିଳମ୍ବ ନ ହୋଇ ଯାତାୟାତ କରିପାରିବେ, ସେଥିପାଇଁ ଏକ ଗ୍ରୀନ୍ କରିଡର ପ୍ରସ୍ତୁତ କରିବାକୁ ଟ୍ରାଫିକ ପୋଲିସକୁ କୁହାଯାଇଛି। ଉଦ୍ଧାରକାରୀ ଦଳ ଏବଂ ପୋଲିସକୁ ଉପଲବ୍ଧ ସମସ୍ତ ସମ୍ବଳ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇଜିପି କହିଛନ୍ତି, “ଦୁଃଖର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ, ଖୈବର ପାଖତୁନଖ୍ୱା ପୋଲିସ ପ୍ରଭାବିତ ପରିବାରଗୁଡ଼ିକ ସହିତ ଛିଡ଼ା ହୋଇଛି।’
