ନୂଆଦିଲ୍ଲୀ: ଜର୍ମାନୀର ବୋଚୁମ୍ ସହରରେ ଥିବା ଏକ ଆବାସିକ କୋଠାରେ ଲାଗିଥିବା ନିଆଁରେ ତିନିଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି ବୋଲି ବୁଧବାର ଦିନ ପୋଲିସ ସୂଚନା ଦେଇଛି। ହତ୍ୟାକାଣ୍ଡର ପ୍ରାଥମିକ ସନ୍ଦେହରେ ସେହି କୋଠାରେ ରହୁଥିବା ଜଣେ ୪୧ ବର୍ଷୀୟ ରୋମାନିଆ ନାଗରିକଙ୍କୁ ଗିରଫ କରାଯାଇଛି ଏବଂ ତଦନ୍ତକାରୀ ଅଧିକାରୀମାନେ ଘଟଣାର ପରିସ୍ଥିତି ସମ୍ପର୍କରେ ତଦନ୍ତ ଚଳାଇଛନ୍ତି। ପୋଲିସର ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୨୫ ଓ ୨୭ ବର୍ଷ ବୟସ୍କା ଦୁଇଜଣ ମହିଳା ଏବଂ ଜଣେ ୨୬ ବର୍ଷୀୟ ପୁରୁଷ ରହିଛନ୍ତି। ଏହା ବ୍ୟତୀତ ଅନ୍ୟ ପାଞ୍ଚ ଜଣ ବ୍ୟକ୍ତି ଧୂଆଁ ଯୋଗୁଁ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ବୋଚୁମ୍ର ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଥିଲା। ଅଗ୍ନିକାଣ୍ଡର ତଦନ୍ତକାରୀ ଦଳ ନିଆଁ ଲାଗିବାର କାରଣ ଭାବରେ କୌଣସି ଯାନ୍ତ୍ରିକ ତ୍ରୁଟିକୁ ଅସ୍ୱୀକାର କରିଛନ୍ତି ଏବଂ ଏହାକୁ ଜାଣିଶୁଣି ଲଗାଯାଇଥିବା ନିଆଁ ବୋଲି ସନ୍ଦେହ କରି ତଦନ୍ତ ଆଗକୁ ବଢ଼ାଉଛନ୍ତି। ତଥାପି, ନିଆଁଟି ଜାଣିଶୁଣି ଲଗାଯାଇଥିଲା ନା ଦୁର୍ଘଟଣାବଶତଃ ଲାଗିଥିଲା, ସେନେଇ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚି ପାରିନାହାନ୍ତି। ମଙ୍ଗଳବାର ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଉଦ୍ଧାରକାରୀ ଦଳ କୋଠାର ଦ୍ୱିତୀୟ ମହଲାରେ ଥିବା ଏକ ଆପାର୍ଟମେଣ୍ଟରୁ ତିନି ଭାରତୀୟଙ୍କ ମୃତଦେହ ଉଦ୍ଧାର କରିଥିଲେ। ଭୋର ୪ଟା ୧୬ ମିନିଟ୍ ସମୟରେ ପୋଲିସ ଏହି ଘଟଣା ସମ୍ପର୍କରେ ସୂଚନା ପାଇଥିଲା ଏବଂ ତୁରନ୍ତ ଉଦ୍ଧାର ଓ ଅଗ୍ନି ନିର୍ବାପନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ କଷ୍ଟକର ଥିଲା କାରଣ ନିଆଁର ଶିଖା ଶିଡ଼ି ଘର ଦେଇ ଉପରକୁ ବ୍ୟାପି ଯାଇଥିଲା। ଏହା ଯୋଗୁଁ ଅଗ୍ନିଶମ କର୍ମଚାରୀମାନେ ସାଧାରଣତଃ କରୁଥିବା ପରି ଶିଡ଼ି ବ୍ୟବହାର କରି ବାସିନ୍ଦାଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିପାରି ନଥିଲେ। ହତ୍ୟାକାଣ୍ଡର ପ୍ରାଥମିକ ସନ୍ଦେହରେ ପୋଲିସ୍ ସେହି ଆପାର୍ଟମେଣ୍ଟ ବିଲ୍ଡିଂର ଜଣେ ୪୧ ବର୍ଷୀୟ ରୋମାନିଆ ବାସିନ୍ଦାଙ୍କୁ ଗିରଫ କରିଛି। ହୋମିସାଇଡ୍ ସ୍କ୍ୱାଡ୍ ଏହି ମାମଲାର ତଦନ୍ତ କରୁଛି। ଯଦିଓ ତଦନ୍ତକାରୀମା?ନେ ନିଆଁ ଲାଗିବାର କାରଣ ଭାବରେ କୌଣସି ଯାନ୍ତ୍ରିକ ତ୍ରୁଟିକୁ ଖାରଜ କରିଦେଇଛନ୍ତି, ତଥାପି ଏହା ଜାଣିଶୁଣି ଲଗାଯାଇଥିଲା ନା ଦୁର୍ଘଟଣାବଶତଃ ଲାଗିଥିଲା, ତାହା ସେମାନେ ଏପର୍ଯ୍ୟନ୍ତ ସ୍ଥିର କରିପାରି ନାହାନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରବିବାର ଦିନ ଏକ ବିବାଦ ପରେ ସେହି ବିଲ୍ଡିଂକୁ ପୋଲିସ୍ ଡକାଯାଇଥିଲା। ଅତୀତରେ ମଧ୍ୟ କର୍ତ୍ତୃପକ୍ଷ ସେହି ସ୍ଥାନରେ ଘଟିଥିବା ଅନ୍ୟ କେତେକ ଘଟଣା ସମ୍ପର୍କରେ ପଦକ୍ଷେପ ନେଇଥିଲେ। ତେବେ, ପ୍ରାଥମିକ ସୂଚନାରୁ ଜଣାପଡ଼େ ଯେ ସେହି ଘଟଣାଗୁଡ଼ିକ ନିଆଁ ଲାଗିବା ଘଟଣା ସହିତ ଜଡ଼ିତ ନଥିଲା।
