ସିଦ୍ଧାର୍ଥନଗର: ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଶନିବାର ଦିନ ଏକ ଅଚଳ ପାଣି ଟାଙ୍କିର ସିଡ଼ି ଭୁଶୁଡ଼ି ପଡ଼ିବା ଫଳରେ ଜଣେ ୧୦ ବର୍ଷୀୟ ବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇିଛନ୍ତି। ଏହାଛଡ଼ା ଏକ ପାଣି ଟାଙ୍କି ଉପରେ ରାତିସାରା ଫସି ରହିଥିବା ଅନ୍ୟ ୨ ବାଳକଙ୍କୁ ରବିବାର ପ୍ରତ୍ୟୁଷରେ ଭାରତୀୟ ବାୟୁସେନା ହେଲିକପ୍ଟର ଦ୍ୱାରା ସଫଳତାର ସହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ସିଦ୍ଧାର୍ଥ (୧୦)। ଅନ୍ୟ ଦୁଇ ବାଳକ ଗୋଲୁ (୧୨) ଏବଂ ସନି (୧୪) ଗୁରୁତର ଆହତ ହୋଇଥିଲେ ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଗୋରଖପୁରକୁ ପଠାଯାଇଛି। କାଶିରାମ ହାଉସିଂ ଅଞ୍ଚଳରେ ଥିବା ପ୍ରାୟ ୩୦ ବର୍ଷର ଅସୁରକ୍ଷିତ ପାଣି ଟାଙ୍କିରେ ୫ଜଣ ପିଲା ଚଢ଼ିବା ସମୟରେ ଏହି ଘଟଣା ଘଟିଥିଲା। ତଳକୁ ଓହ୍ଲାଇବା ସମୟରେ ଶିଡ଼ି ହଠାତ୍ ଗଳି ପଡ଼ିଲା। ଯାହା ଫଳରେ ସେମାନଙ୍କ ମଧ୍ୟରୁ ତିନି ଜଣ ଖସି ପଡ଼ିଲେ। ବାକି ଦୁଇ ପିଲା ପବନ (୧୪) ଏବଂ ଶାବାନ (୧୨) ଉପରେ ୧୬ ଘଣ୍ଟା ଧରି ଫସି ରହିଥିଲେ। ଗୋରଖପୁରରୁ ରିକୁଜିସନ୍ କରାଯାଇଥିବା ଏକ ସେନା ହେଲିକପ୍ଟର ଦ୍ୱାରା ରବିବାର ସକାଳ ପ୍ରାୟ ୫.୨୦ ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଅପରେସନ ପ୍ରାୟ ୧୫ ମିନିଟ୍ ଧରି ଚାଲିଥିଲା। ସିଦ୍ଧାର୍ଥନଗର ଜିଲ୍ଲା ମାଜିଷ୍ଟ୍ରେଟ(ଡିଏମ)୍ ଶିବଶରଣପ୍ପା କହିଛନ୍ତି ଯେ ନିରନ୍ତର ଯୋଗାଯୋଗ ସହିତ ବାୟୁସେନା ଏବଂ ରାଜ୍ୟ ପ୍ରଶାସନ ସହିତ ଘନିଷ୍ଠ ସମନ୍ୱୟରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଡିଏମ୍ ବିବରଣୀ ଦେଇ କହିଛନ୍ତି ଯେ ପାଞ୍ଚ ଜଣ ପିଲା ପାଣି ଟାଙ୍କି ଉପରେ ଚଢ଼ି ଏକ ରିଲ୍ ସୁଟିଂ କରିଥିଲେ। “ଶିଡ଼ିି ଭାଙ୍ଗିଗଲା ଏବଂ ସେମାନଙ୍କ ମଧ୍ୟରୁ ୩ ଜଣ ପାଣି ଟାଙ୍କିରୁ ଖସି ପଡ଼ିଲେ। ଗୋଟିଏ ପିଲାର ମୃତ୍ୟୁ ଘଟିଛି, ଏବଂ ଅନ୍ୟ ଦୁଇଜଣ ମେଡିକାଲ୍ କଲେଜରେ ଚିକିତ୍ସିତ ହେଉଛନ୍ତି। ଟ୍ୟାଙ୍କ ଉପରେ ଥିବା ଦୁଇ ପିଲାଙ୍କ ଉଦ୍ଧାର କାର୍ଯ୍ୟ ପାଇଁ, ଆମେ ପ୍ରଥମେ ଗୋରଖପୁରରୁ ଏକ ଦମକଳ ଗାଡ଼ିକୁ ଡାକିଥିଲୁ। କାରଣ ମାଟି ବହୁତ କାଦୁଅ ଥିଲା ଏବଂ ରାସ୍ତା ଠିକ୍ ଭାବରେ ନିର୍ମିତ ହୋଇନଥିଲା, ତେଣୁ ଆମେ ଯୋଜନା ବିର ଅଂଶ ଭାବରେ ଗୋରଖପୁରରେ ବାୟୁସେନା ଅଧିକାରୀଙ୍କ ସହିତ ପରାମର୍ଶ କରିଥିଲୁ। ସେମାନେ ଆଜି ସକାଳେ ଏକ ହେଲିକପ୍ଟର ପଠାଇଥିଲେ, ଏବଂ ଦୁଇ ପିଲାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ସେମାନଙ୍କ ପିତାମାତାଙ୍କ ଘରକୁ ପଠାଯାଇଥିଲା ବୋଲି ସେ କହିଛନ୍ତି।
