ମାଲାପ୍ପୁରମ୍: ସେମାନେ ପୁଣି ଥରେ ସ୍କୁଲ ପରିସରକୁ ଏକାଠି ହୋଇଥିଲେ, କିନ୍ତୁ ଏଥର ଏପରି ବିଦାୟ ପାଇଁ ଯାହା କେହି କେବେ କଳ୍ପନା କରିନଥିଲେ। ଶୁକ୍ରବାର ଭାଲପାରାଇ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇଟି ସ୍କୁଲର ଶିକ୍ଷକ ଏବଂ କର୍ମଚାରୀଙ୍କ ଶେଷ ଝଲକ ପାଇଁ କେରଳର ବିଭିନ୍ନ ସ୍ଥାନରୁ ଲୋକମାନେ ପହଞ୍ଚିଥିଲେ। ହଜାର ହଜାର ଲୋକ ନୀରବରେ ଠିଆ ହୋଇଥିଲେ। ଅନେକ ଲୋକ ଶେଷ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଭାଙ୍ଗି ପଡ଼ିଲେ। ଶନିବାର ଭୋର ୪ଟା ସୁଦ୍ଧା ପୋଲାଚିର ସରକାରୀ ହସ୍ପିଟାଲରେ ପୋଷ୍ଟମର୍ଟମ ସମାପ୍ତ ହେବା ପରେ, ପୀଡିତମାନଙ୍କୁ ତାମିଲନାଡୁ ପୋଲିସ ଏସ୍କର୍ଟ ଅଧୀନରେ କେରଳ ପଠାଯାଇଥିଲା। ସକାଳ ୯ଟା ସୁଦ୍ଧା, ସେମାନଙ୍କୁ ଅମ୍ବାଲାପାରାମ୍ବୁ ସ୍କୁଲକୁ ଅଣାଯାଇଥିଲା। ଜୀବନ ପରି ମୃତ୍ୟୁରେ ମଧ୍ୟ ସେମାନେ ଏକାଠି ରହିଥିଲେ। କୁରୁଭା ସରକାରୀ ପ୍ରଧାନଶିକ୍ଷୟିତ୍ରୀ ଅଜିତାଙ୍କ ପାର୍ôଥବ ଶରୀର, ୫୪; ଶିକ୍ଷକ ରାମଲା, ୫୨; ସୁହାରା, ୪୩; ଆଶା, ୪୧; ଏବଂ ମାଜିଦ, ୪୩; ସ୍କୁଲ ରୋଷେୟା ସାଜିଥା ୪୫; ସ୍କୁଲର ଶିକ୍ଷୟିତ୍ରୀ ଶକିନା, ୩୭; ମାଜିଦଙ୍କ ପତ୍ନୀ ରୁଖିଆ, ୩୯; ଏବଂ ସୁହାରାଙ୍କ ପୁଅ ହିଶାମଙ୍କୁ ସାଧାରଣ ଲୋକଙ୍କ ଶେଷଦର୍ଶନ ପାଇଁ ରଖାଯାଇଥିଲା। ଯେତେବେଳେ ଆମ୍ବୁଲାନ୍ସଗୁଡ଼ିକ ଗୋଟିଏ ପରେ ଗୋଟିଏ ଆସି ପହଞ୍ଚିଲା। ସ୍କୁଲ ପରିସର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
