ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ହିନ୍ଦୋଳ ଏନ୍ଏସିର ୫ ନଂ ୱାର୍ଡରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ ଏନ୍ଏସି ୫ ନଂ ୱାର୍ଡ୍ ଧୁନ୍ଦିନାଳୀ ଗ୍ରାମର ସ୍ୱର୍ଗତ ଟୁଟୁ ସାହୁଙ୍କ ସ୍ତ୍ରୀ ଜୟନ୍ତୀ ସାହୁ (୫୫) କାଜୁମଞ୍ଜି ସଂଗ୍ରହ କରିବାକୁ ନିଜର କାଜୁ ବଗିଚାକୁ ଯାଇଥିବାବେଳେ ହାତୀ ତାଙ୍କୁ ଦଳିଚକଟି ଆକ୍ରମଣ କରିଥିଲା । ଫଳରେ ମହିଳା ଗୁରୁତର ଆହତ ହୋଇଥିଲେ। ପରିବାରଲୋକେ ସଙ୍ଗେସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ହିନ୍ଦୋଳ ଉପଖଣ୍ଡ ମେଡିକାଲ୍ ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ବନବିଭାଗ ଓ ପୁଲିସ୍ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ଦୁଃଖଦ ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
