ପୁରୀ: ପବିତ୍ର କାଳୀୟଦଳନ ଏକାଦଶୀରେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ମହାଦୀପ ଉଠିବାର ପବିତ୍ର ଦିନରେ ପୁରୀବାସୀଙ୍କ ଶ୍ରୀମନ୍ଦିର ଦର୍ଶନ ଅଧିକାର ପାଇଁ ଚାଲିଥିବା ଅହିଂସାପୂର୍ଣ୍ଣ ସଚେତନତା ପଦଯାତ୍ରା ୧୬୦ ଦିନରେ ପହଞ୍ଚିଛି। ଗତ ୧ ଏପ୍ରିଲରୁ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଖରା, ବର୍ଷା ଓ ପ୍ରତିକୂଳତା ସତ୍ତ୍ୱେ ଅବିରତ ଚାଲିଛି। ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନର ଏକ ସ୍ଥାୟୀ, ସ୍ୱତନ୍ତ୍ର ଓ ସମ୍ମାନଜନକ ବ୍ୟବସ୍ଥା ଦାବିରେ ଏହି ସତ୍ୟାଗ୍ରହ ଜାରି ରହିଛି।

ଆଜି ସତ୍ୟାଗ୍ରହୀମାନେ ଭକ୍ତ ସାଲବେଗ ପୀଠରୁ ଶାନ୍ତି ଓ ଶୃଙ୍ଖଳାର ସହ ପଦଯାତ୍ରା କରି ଶ୍ରୀମନ୍ଦିର ଅଭିମୁଖେ ଯାଇ ପତିତପାବନଙ୍କ ଦର୍ଶନ କରି ପୁରୀବାସୀଙ୍କ ଦାବିର ଶୀଘ୍ର ସମାଧାନ ପାଇଁ ପ୍ରାର୍ଥନା କରିଥିଲେ।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “୧୬୦ ଦିନ ଧରି ଆମେ ଶାନ୍ତିର ସହିତ ଆମର ଦାବି ରଖିଆସୁଛୁ। ଆମେ କାହାର ବିରୋଧୀ ନୁହେଁ। ପୁରୀବାସୀଙ୍କ ଭାବନା ପ୍ରତି ସରକାର ସମ୍ବେଦନଶୀଳ ହୋଇ ସ୍ଥାୟୀ ସମାଧାନର ବାଟ ଖୋଲନ୍ତୁ।

ସୋମବାର ପଦଯାତ୍ରାରେ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ନୃସିଂହନାଥ ନାୟକ, ମନୋରଞ୍ଜନ ରଣସିଂହ, ରମେଶ ଚନ୍ଦ୍ର ମହାନ୍ତି, ଯାଦବାନନ୍ଦ ରାୟ, କାହ୍ନୁଚରଣ ପ୍ରଧାନ, ସନ୍ଧ୍ୟାରାଣୀ ମିଶ୍ର, ଅଞ୍ଜୁବାଳା ମହାନ୍ତି, ବେବି ଚୌଧୁରୀ, ବେବିନା ସାମଲ, ଶ୍ରାବଣୀ ପ୍ରଧାନ, ମମତା ସ୍ୱାଇଁ, ଅଭିମନ୍ୟୁ ରାୟଗୁରୁ, ସନ୍ତୋଷ ସେନାପତି, ଲିଙ୍ଗରାଜ ସାହୁ, କାଶୀନାଥ ସାହୁ, ସୁବାଷ ପଟ୍ଟନାୟକ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ଯୋଗ ଦେଇଥିଲେ।୧୬୦ ଦିନର ଏହି ଆନ୍ଦୋଳନ କୌଣସି ଦଳ କିମ୍ବା ବ୍ୟକ୍ତି ବିରୋଧରେ ନୁହେଁ;

ଏହା ପୁରୀବାସୀଙ୍କ ନ୍ୟାୟସଙ୍ଗତ ଅଧିକାର ପାଇଁ ଏକ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ। ଆଜି ମହାଦୀପର ପବିତ୍ର ଆଲୋକରେ ଏକମାତ୍ର ପ୍ରାର୍ଥନା ମହାପ୍ରଭୁ ପୁରୀବାସୀଙ୍କ ମନର କଥା ଶୁଣନ୍ତୁ ଏବଂ ଦାବିର ଶୀଘ୍ର ଓ ସ୍ଥାୟୀ ସମାଧାନର ବାଟ ଖୋଲନ୍ତୁ।ପାଦ ଥକିପାରେ, କିନ୍ତୁ ସଂକଳ୍ପ ଥକିବ ନାହିଁ। ୧୬୦ ଦିନର ସଂକଳ୍ପ ଅଧିକାର ପାଇଁ ଅହିଂସା, ସମ୍ମାନ ପାଇଁ ସତ୍ୟାଗ୍ରହ।
