କଟକ: ଚୌଦ୍ୱାର ଜେଲ୍ରୁ ଫେରାର୍ ହେବାର ଦୀର୍ଘ ୬ ମାସ ପରେ ଧରାପଡ଼ିଥିବା ବିହାରର ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ଜେରା କରିବା ପାଇଁ କଟକରେ ପହଞ୍ଚିଛି କର୍ଣ୍ଣାଟକର ମହୀଶୂର ପୁଲିସ । ମହୀଶୂରରେ ହୋଇଥିବା ଏକ ଗହଣା ଦୋକାନ ଡକାୟତି ଘଟଣାରେ ରାଜାର ସଂପୃକ୍ତି ଥିବାରୁ ତାକୁ ଜେରା କରିବା ପାଇଁ କଟକ ଆସିଛି ସେଠାକାର ପୁଲିସ । ଜେରା ପାଇଁ ଅନୁମତି ଦେବାକୁ କର୍ଣ୍ଣାଟକ ପୁଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି । ଅନ୍ୟପକ୍ଷରେ ଚୌଦ୍ୱାର ଜେଲ୍ରୁ ଫେରାର ହେବା ଓ ଅନ୍ୟ ଅପରାଧିକ ଘଟଣାକ୍ରମ ଜାଣିବା କଟକ ପୁଲିସ ମଧ୍ୟ ରାଜାକୁ ୭ ଦିନିଆ ରିମାଣ୍ଡରେ ଆଣିବ ବୋଲି ନିଷ୍ପତ୍ତି ନେଇଛି । ଏନେଇ ମଙ୍ଗଳବାର ଦିନ କୋର୍ଟରେ ଆବେଦନ କରାଯିବ । ଚୌଦ୍ୱାର ଜେଲ୍ରୁ ଅକ୍ଟୋବର ୨ ତାରିଖ ରାତିରେ ଦୁର୍ଦ୍ଦାନ୍ତ ରାଜା ଓ ତାର ସହଯୋଗୀ ମଧୁକାନ୍ତ ରାଣା ଫେରାର୍ ହୋଇଯାଇଥିଲା । ପରେ ରାଜା ଅନ୍ୟ ସହଯୋଗୀଙ୍କ ସହିତ ମିଶି ବିଶାଖାପାଟଣାରେ ଦୁଇଟି ଅଳଙ୍କାର ଦୋକାନରେ ଲୁଟ୍ ପାଇଁ ଉଦ୍ୟମ କରି ଫେଲ୍ ମାରିଲା । ଏହା ପରେ ନୂଆ ପ୍ଲାନ୍ କରି ଡିସେମ୍ବର ମାସ ୨୮ ତାରିଖରେ ମହୀଶୂର ଜିଲ୍ଲାର ହୁନସୁର ସହରରେ ଥିବା ଏକ ଗହଣା ଦୋକାନରେ ଡାକୟତି କରିଥିଲେ । ଏଥିରେ ୮ କେଜି ୩ଶହ ଗ୍ରାମ୍ର ସୁନା ଓ କୋଟିଏରୁ ଅଧିକ ଟଙ୍କାର ହୀରା ଲୁଟ୍ କରିନେଇଥିଲେ । ଘଟଣାର ତଦନ୍ତ ପାଇଁ କର୍ଣ୍ଣାଟକ ପୁଲିସର ଏସ୍ଟିଏଫ୍ର ଥିବା ‘ବ୍ୟାଙ୍କ୍ ଆଣ୍ଡ୍ ଜୁଏଲାରୀ’ ସେଲ୍କୁ ଏହାର ତଦନ୍ତ ଭାର ଦିଆଗଲା । ସେଲ୍ ମୁଖ୍ୟ ଆନନ୍ଦ କୁମାର ଏହାର ତଦନ୍ତ ଆରମ୍ଭ କରି ଜାନୁଆରୀ ମାସ ୨୦ ତାରିଖରେ ବିହାର୍ ଭାଗଲପୁରର ସତୁଆ ଓରଫ ପଙ୍କଜ କୁମାର ଏବଂ ଦରଭଙ୍ଗାର ପଟଲ୍ ସିଂହ ଓରଫ ଛୋଟୁ ସିଂହ ଓରଫ ରିଷିକେଶ ସିଂହକୁ ପୁଲିସ ଗିରଫ କରିଥିଲା । ଏନେଇ ତଦନ୍ତ ଜାରି ରହିଥିବା ବେଳେ ଦୀଲ୍ଲୀରୁ ହରମନ୍ ସିଂହ ଓ ସୋନୁ ସିଂହ ଗିରଫ ହୋଇଥିଲେ । ତେବେ ଏହି ଲୁଟ୍ର ମୁଖ୍ୟ କାର୍ପଟାଦାର ଥିବା ରାଜାକୁ ମହୀଶୂର ପୁଲିସ ଖୋଜୁଥିବା ବେଳେ ଗତ ୨ ତାରିଖ ରାତିରେ ରାଜା କଟକ ପୁଲିସ ହାତରେ ରିଷିକେଶରେ ଧରାପଡ଼ିଯାଇଥିଲା । ଏହା ମହୀଶୂର ପୁଲିସ ଜାଣିବା ପରେ ଏସ୍ଟିଏଫ୍ର ଜଣେ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ତିନିଜଣ ପୁଲିସ ଅଧିକାରୀ ଆଜି କଟକରେ ଆସି ପହଞ୍ଚିଛନ୍ତି । ତେବେ ମହୀଶୂର ପୁଲିସ ରାଜାକୁ ନିଜ ସହିତ ରିମାଣ୍ଡ୍ ନେବାରେ ସାମାନ୍ୟ ଆଇନଗତ ସମସ୍ୟା ଥିବାରୁ କେବଳ ପଚରାଉଚୁରା ପାଇଁ ନିଷ୍ପତ୍ତି ନେଇଛି । ଏହା ପରେ ମହୀଶୂର ପୁଲିସ ପକ୍ଷରୁ ଜେଏମ୍ଏଫ୍ସି -୧ଙ୍କ କୋର୍ଟରେ ଏନେଇ ଆବଦେନ କରାଯାଇଛି। ସମ୍ଭବତଃ ମଙ୍ଗଳବାର କୋର୍ଟଙ୍କ ଅନୁମତିରେ ମହୀଶୂର ପୁଲିସ ଚୌଦ୍ୱାର ଜେଲ୍ ପରିସରରେ ରାଜାକୁ ଜେରା କରିବ । ପୂର୍ବରୁ ଏହି ଘଟଣାରେ ମହୀଶୂର ପୁଲିସ ମାର୍ଚ୍ଚ ମାସରେ ଅନ୍ୟତମ ଅପରାଧୀ ମଧୁକାନ୍ତ ରାଣାକୁ ମଧ୍ୟ ଜେରା କରିଥିଲା । ଗହଣା ଦୋକାନରୁ ଲୁଟ୍ ହୋଇଥିବା ସବୁତକ ସୁନା ଓ ହୀରା ଏଯାବତ ମିଳିନଥିବାରୁ ରାଜାକୁ ଏନେଇ ଜେରା କରାଯିବ ବୋଲି ସୂଚନା ମିଳିଛି । ଏହି ସମୟରେ କଟକ ପୁଲିସର ମଧ୍ୟ ଏକ ଟିମ୍ ଉପସ୍ଥିତ ରହିବ । ଅନ୍ୟପଟେ ଜେଲ୍ରୁ ଫେରାର ହେବାରେ ରାଜାକୁ ସହଯୋଗ କରିଥିବା ବ୍ୟକ୍ତିଙ୍କ ବିଷୟରେ ଅଧିକ ଜାଣିବା ପାଇଁ କଟକ ପୁଲିସ ପକ୍ଷରୁ କୋର୍ଟରେ ୭ ଦିନିଆ ରିମାଣ୍ଡ ଆବେଦନ କରାଯିବ । ଅନ୍ୟ ବହୁ ତଥ୍ୟ ଆଦାୟ କରିବା ପାଇଁ ରାଜାକୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ଖିଲାରୀ ରିଷିକେଶ ଦ୍ୟାନ୍ଦେଓ ସୂଚନା ଦେଇଛନ୍ତି ।
