ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅଧୀନ ପଡ଼ିଆବାହାଲ, ଚଙ୍ଗରିଆ ଓ ଆଖପାଖ ଅଞ୍ଚଳ ବାଙ୍କିବାହାଲ ଓ ଗମ୍ଭାରୀ ଏବଂ ପାଟଣାଗଡ଼ରେ ସୋମବାର ଦିନ ପ୍ରାୟ ୨ଟା ସମୟରେ ହଠାତ୍ କାଳବୈଶାଖୀର ତାଣ୍ଡବ ଦେଖାଦେଇଥିଲା। ଘନାନ୍ଧକାର ଆକାଶ, ପ୍ରବଳ ପବନ, ମୁସଳଧାର ବର୍ଷା ଓ କୁଆପଥରର ଆଘାତ ମିଶି ମୁହୂର୍ତ୍ତମାନେ ସମଗ୍ର ଅଞ୍ଚଳକୁ ବିପର୍ଯ୍ୟସ୍ତ କରିଦେଇଥିଲା। ଏହି ପ୍ରାକୃତିକ ବିପଦର ସବୁଠାରୁ ବଡ଼ ଆଘାତ ପଡ଼ିଛି ଚାଷୀମାନଙ୍କ ଉପରେ। ଦିନରାତି ପରିଶ୍ରମ କରି , ଋଣ କରି ବିହନ ଓ ସାର କିଣି, ଭଲ ଫସଲର ଆଶାରେ ଜମିକୁ ସଜାଇଥିବା ଚାଷୀମାନେ ଆଜି ନିଜ ଆଖିଆଗରେ ସେହି ସ୍ୱପ୍ନକୁ ଭାଙ୍ଗିଯାଉଥିବା ଦେଖି ଭାଙ୍ଗିପଡ଼ିଛନ୍ତି। କୁଆପଥରର ତୀବ୍ର ଆଘାତରେ ଧାନ, ମୁଗ, ପନିପରିବା ଓ ଅନ୍ୟାନ୍ୟ ଚାଷ ପୂରାପୁରି ନଷ୍ଟ ହୋଇଯାଇଛି।

କେତେକ ଜମିରେ ଫସଲ ଏମିତି ଚୁର୍ଣ୍ଣବିଚୁର୍ଣ୍ଣ ହୋଇଯାଇଛି ଯେ, ପୁଣିଥରେ ଉଠିବାର ଆଶା ମଧ୍ୟ ଦୂର ଲାଗୁଛି। ଏହା କେବଳ ଫସଲର କ୍ଷତି ନୁହେଁଏହା ଚାଷୀଙ୍କ ଜୀବନର ଆଧାରକୁ ଅସ୍ଥିର କରିଦେଇଛି। ଯେଉଁ ଜମିରେ ସେମାନେ ଆଗାମୀ ଦିନର ସୁନ୍ଦର ସ୍ୱପ୍ନ ଦେଖୁଥିଲେ, ସେହି ଜମି ଆଜି ନିରବ ଯନ୍ତ୍ରଣାର ସାକ୍ଷୀ। ଋଣ ଫେରାଇବାର ଚିନ୍ତା, ପରିବାର ପରିପୋଷଣ କରିବାର ଭାର, ଓ ଆଗାମୀ ଦିନର ଅନିଶ୍ଚିତତା—ଏହି ସବୁ ଭାବନା ଏବେ ଚାଷୀମାନଙ୍କ ମନକୁ ଭାରି କରିଦେଇଛି। ଅନ୍ୟପଟେ, ବହୁତ ଘରର ଖପର ଭାଙ୍ଗିଯାଇ ଘର ଭିତରେ ପାଣି ପସିଯାଇଥିବାରୁ ଗ୍ରାମବାସୀ ଦୁର୍ଦ୍ଦଶାରେ ପଡ଼ିଛନ୍ତି। ବାଙ୍କିବାହାଲ ଓ ଗମ୍ଭାରୀ ଅଞ୍ଚଳରେ ରାସ୍ତା ଓ ଚାରିପାଖ କୁଆପଥରରେ ଢାକିଯାଇଥିବା ଦୃଶ୍ୟ ହିମାଚଳର ବରଫପାତକୁ ସ୍ମରଣ କରାଇଥିଲା, କିନ୍ତୁ ଏହି ସୌନ୍ଦର୍ଯ୍ୟର ଆଡ଼ରେ ଲୁଚିଥିବା ଦୁଃଖ ଅତ୍ୟନ୍ତ ଗଭୀର। ଏବେ ଆବଶ୍ୟକ ହେଉଛି ତୁରନ୍ତ କ୍ଷତିର ସଠିକ୍ ଅନୁମାନ କରି ପ୍ରଭାବିତ ଚାଷୀମାନଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା। ପ୍ରଶାସନ ପକ୍ଷରୁ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବାକୁ ଲୋକମାନେ ଆଶା କରୁଛନ୍ତି, ଯାହା ଦ୍ୱାରା ଏହି ଦୁର୍ଦ୍ଦିନରେ ଚାଷୀମାନେ ପୁଣିଥରେ ଦୃଢ଼ ହୋଇ ନିଜ ଜୀବନକୁ ଆଗକୁ ବଢ଼ାଇ ପାରନ୍ତୁ ଏବଂ ହାରାଇଥିବା ସ୍ୱପ୍ନଗୁଡ଼ିକୁ ପୁଣିଥରେ ସଜାଇ ପାରନ୍ତୁ।
