ଭୁବନେଶ୍ୱର: ଦ୍ୱିତୀୟ ବର୍ଷ ଲାଗି ଏପ୍ରିଲ ପହିଲା ଓଡ଼ିଶା ଦିବସଠାରୁ ରାଜ୍ୟ ସରକାର ରାଜ୍ୟବ୍ୟାପୀ ଓଡ଼ିଆ ସଂସ୍କୃତି ପାଳନ ଘୋଷଣା କରିଛନ୍ତି। ଏ ନେଇ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ୨୦୨୫ ମସିହାରେ ପ୍ରଥମ ଥର ପାଇଁ ଏଭଳି ଆୟୋଜନ କରାଯାଇଥିଲା। ମହୋତ୍ସବର ଲକ୍ଷ୍ୟ ହେଉଛି ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ବିବିଧତା, ଏହାର ସାହିତ୍ୟ, ଲୋକକଳା, ପାରମ୍ପରିକ ପୋଷାକ, ଖାଦ୍ୟ, ଐତିହାସିକ ସ୍ଥାନ ଏବଂ ଅନ୍ୟାନ୍ୟ ଜିନିଷ – ପ୍ରଦର୍ଶନ କରିବା ଏବଂ ସକ୍ରିୟ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା। ବିଭିନ୍ନ ବିଭାଗ ପ୍ରତ୍ୟେକ ଦିନ ପାଇଁ ବିଷୟବସ୍ତୁ ଉପରେ ଆଧାରିତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ସେହି ଅନୁଯାୟୀ ଚଳିତ ବର୍ଷ ଏପିଲ ୧ ତାରିଖରେ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଦ୍ୱାରା ଓଡ଼ିଶା ଦିବସ ପାଳନ, ୨ ତାରିଖରେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ପ୍ରାକ୍-ପ୍ରାଥମିକ ଏବଂ ପ୍ରଥମ ଶ୍ରେଣୀରେ ଯୋଗଦାନ କରୁଥିବା ପିଲାମାନଙ୍କ ପାଇଁ “ଖଡ଼ିଛୁଆଁ ଦିବସ’, ୩ ତାରିଖରେ ପାରମ୍ପରିକ ପୋଷାକ ଦିବସ – ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗ ଦ୍ୱାରା “ଆମା ପୋଷକ ଆମ ପରିଚୟ ଦିବସ, ୪ ତାରିଖରେ “ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ”, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ନାମଫଳକ ଅଭିଯାନ ଏବଂ ପଦଯାତ୍ରା, ୫ ତାରିଖରେ କ୍ରୀଡା ଏବଂ ଯୁବ ସେବା ଏବଂ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଐତିହାସିକ ସ୍ଥଳ ନିକଟରେ “ଐତିହ୍ୟ ଗଣ ଦୌଡ଼”, ୬ ତାରିଖରେ ପଞ୍ଚାୟତିରାଜ, ପାନୀୟ ଜଳ, ଗୃହ ଏବଂ ନଗର ଉନ୍ନୟନ ବିଭାଗ ଦ୍ୱାରା ମନ୍ଦିର ଏବଂ ସାର୍ବଜନୀନ ସ୍ଥାନରେ ରାଜ୍ୟବ୍ୟାପୀ ସଫେଇ ଅଭିଯାନ। ୭ ତାରିଖରେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଦ୍ୱାରା ଶିଶୁ କାହାଣୀ ଏବଂ ଲୋକକଥା ପ୍ରଚାର ପାଇଁ “ଶିଶୁ କଥା ଦିବସ”, ୮ ତାରିଖରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ରକ୍ତଦାନ ଶିବିର, ୯ ତାରିଖରେ “ଆସ ବହି ଟିଏ କିଣିବା ଅଭିଯାନ” – ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ଏବଂ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପୁସ୍ତକ କ୍ରୟ ଅଭିଯାନ, ୧୦ ତାରିଖରେ “ଲୋକ କଳା ପାଇଁ ଦିନଟିଏ” – ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଦ୍ୱାରା ଲୋକକଳା ପ୍ରଚାର ଏବଂ କଳାକାରମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ସ୍ୱତନ୍ତ୍ର ଦିନ, ୧୧ ତାରିଖରେ “ଅମୃତପିଢ଼ି ସମାରୋହ’ – ସ୍କୁଲ ଏବଂ ଗଣଶିକ୍ଷା, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଶିଶୁ, କିଶୋର ଏବଂ ଯୁବକମାନଙ୍କ ପାଇଁ ସୃଜନଶୀଳତା କାର୍ଯ୍ୟକ୍ରମ, ୧୨ ତାରିଖରେ “ବନ୍ଦନୀୟ ବରପୁତ୍ର’ – ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଦ୍ୱାରା ମହାନ ଓଡ଼ିଆ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ, ୧୩ ତାରିଖରେ ପାରମ୍ପରିକ ଖାଦ୍ୟ ଦିବସ – ପଞ୍ଚାୟତିରାଜ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଏବଂ ପର୍ଯ୍ୟଟନ ବିଭାଗ ଦ୍ୱାରା “ଆମା ରୁଚି ଆମ ଖାଦ୍ୟ ଦିବସ ପାଳନ, ୧୪ ତାରିଖରେ ଓଡ଼ିଆ ନବବର୍ଷର ମହାନ ରାଜ୍ୟସ୍ତରୀୟ ଉତ୍ସବ ପାଳନ କରାଯିବ।

ସର୍ବାଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ସରକାରୀ ୱେବସାଇଟ୍ ଙୟସବକ୍ଟ୍ରବଳଷଚ୍ଚବ.ମକ୍ଟଜ୍ଞ ଏବଂ ଓଡ଼ିଆ ପକ୍ଷ ଆପ୍ ଲଞ୍ଚ କରିଛି। ଲୋକମାନେ ଆପ୍ ଡାଉନଲୋଡ୍ କରି କ୍ୱିଜ୍ରେ ଅଂଶଗ୍ରହଣ କରିପାରିବେ, ପାରମ୍ପରିକ ଖାଦ୍ୟ, ସଙ୍ଗୀତ, ନୃତ୍ୟ, ସ୍ୱଚ୍ଛତା ଅଭିଯାନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହିତ ଜଡିତ ରିଲ୍ ଏବଂ ସେଲ୍ଫି ଅପଲୋଡ୍ କରିପାରିବେ ଏବଂ ଡିଜିଟାଲ୍ ପ୍ରମାଣପତ୍ର ପାଇପାରିବେ। ସରକାର ସମସ୍ତ ନାଗରିକ, ଶିକ୍ଷାନୁଷ୍ଠାନ, ଏନଜିଓ, ଯୁବ ଏବଂ ସାଂସ୍କୃତିକ ସଂଗଠନକୁ ଉତ୍ସବରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗର ଶାସନ ସଚିବ ରଶ୍ମିତା ପଣ୍ଡା, ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ, ଅତିରିକ୍ତ ଶାସନ ସଚିବ ସ୍ମିତା ମହାନ୍ତି, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହେତା ପ୍ରମୁଖ ଉପସ୍ଥିତ ଥିଲେ।
