ନୀଳଗିରି; ଲଗାଣ ବର୍ଷା ଯୋଗୁଁ ନିକଟସ୍ଥ ପାହାଡ଼ରୁ ଖାଦ୍ୟ ଅନ୍ୱେଷଣ ପାଇଁ ବାରମ୍ବାର ବିଷଧର ସର୍ପ ସହିତ ଜଙ୍ଗଲ ଜନ୍ତୁ ମାନେ ଖସି ଆସି କେତେ ବେଳେ ଗୁହାଳ ଘରେ ତ ଆଉ କେତେବେଳେ କୁକୁଡ଼ା ଭାଡ଼ିରେ ପସି ଯାଇ କୁକୁଡ଼ା ଖାଇବା ସହିତ ମଣିଷ ମାନେ ମଧ୍ୟ ଆକ୍ରମଣର ଶିକାର ହେଉଥିବାର ନଜିର ରହିଛି। ଏପରି ଘଟଣା ଘଟିଛି ନୀଳଗିରି ଏନ୍ଏସି ଅଧୀନ ୪ ନମ୍ବର ୱାର୍ଡ ମିରିଗିଣି ଗ୍ରାମରୁ ପ୍ରାୟ ଆଠ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ସାପଟି ଉକ୍ତ ଗ୍ରାମର ପ୍ରଦୀପ କୁମାର ପ୍ରଧାନଙ୍କ କୁକୁଡ଼ା ଭାଡି ଭିତରେ ପସି ୭ଟି ଅଣ୍ଡା ଖାଇବା ସହ ଦୁଇଟି କୁକୁଡ଼ାକୁ ମାରି ଗିଳିଦେଇଥିଲା ।ଶ୍ରୀ ପ୍ରଧାନ କୁକୁଡ଼ା ଭାଡି ମଧ୍ୟରେ ଏତେ ବଡ଼ ଓ ମୋଟା ସାପ ଦେଖି ଭୟରେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ହରେକୃଷ୍ଣ ରାଉତଙ୍କୁ ଖବର ଦେଇଥିଲେ । ଶ୍ରୀ ରାଉତ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ବନବିଭାଗକୁ ହସ୍ଥାନ୍ତର କରିଥିଲେ। ପରେ ସାପଟିକୁ କୁଲଡିହା ଜଙ୍ଗଲ ମଧ୍ୟରେ ଛାଡ଼ିଦିଆଯାଇଛି । ଏବେ ଲଗାଣ ବର୍ଷା ଯୋଗୁଁ ନିକଟସ୍ଥ ଜଙ୍ଗଲରୁ ଅଜଗର ତଥା ଅନ୍ୟାନ୍ୟ ସାପ ଓହ୍ଲାଇ ଆସି ଜଙ୍ଗଲ ଓ ନଦୀ, ନାଳ, କେନାଲ୍ ନିକଟସ୍ଥ ଜନବସତିରେ ପ୍ରବେଶ କରୁଛନ୍ତି । ଏଣୁ ଏଥିପ୍ରତି ସତର୍କ ଓ ସଚେତନ ରହିବାକୁ ଶ୍ରୀ ରାଉତ କହିଛନ୍ତି ।
