ମୁମ୍ବାଇ : ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ନିଜ ଖେଳ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଥାନ୍ତି । ଆଇପିଏଲ ଆରମ୍ଭ ହେବା ପୂର୍ବରୁ ହାର୍ଦ୍ଦିକଙ୍କ ଏକ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁ ଫଟୋରେ ସେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମର ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ନଜର ଆସିଛନ୍ତି । ସେ ଗ୍ରାଉଣ୍ଡ ଷ୍ଟାଫଙ୍କୁ କିଛି ଉପହାର ଦେଇଛନ୍ତି । ସମସ୍ତଙ୍କ ହାତରେ ଖାମ୍ ରହିଥିବା ଦେଖିବାକୁ ମିଳିଛି । ତେବେ ସେ ଟି-୨୦ ବିଶ୍ୱକପ ପୂର୍ବରୁ ଦେଇଥିବା ପ୍ରତିଶୃତିକୁ ରକ୍ଷା କରିଛନ୍ତି । ଟି-୨୦ ବିଶ୍ୱକପ ପୂର୍ବରୁ ହାର୍ଦ୍ଦିକ ୱାଙ୍ଖଡେ ଷ୍ଟାଡିମୟରେ ଅଭ୍ୟାସ କରୁଥିଲେ । ରାତି ଅଧ ପର୍ଯ୍ୟନ୍ତ ସେ ଏଠାରେ ସମୟ କାଟୁଥିଲେ । ଆଉ ଗ୍ରାଉଣ୍ଡମ୍ୟାନମାନଙ୍କୁ ପ୍ରତିଶୃତି ଦେଇଥିଲେ କି, ଟୁର୍ଣ୍ଣାମେଣ୍ଟରୁ ଫେରିବା ପରେ ପୁରଷ୍କୃତ କରିବେ । କିନ୍ତୁ ଏବେ ସେ ନିଜର କଥା ରଖିଥିବା ଦେଖିବାକୁ ମିଳିଛି । ସମସ୍ତ ଷ୍ଟାଫଙ୍କୁ ଉପହାର ସହ ନଗଦ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ଯାହାକୁ ନେଇ ପାଣ୍ଡ୍ୟାଙ୍କୁ ଏବେ ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ପ୍ରଂଶସା କରୁଥିବା ଦେଖିବାକୁ ମିଳିଛି । ସେପଟେ ଆମେ ଯଦି ହାର୍ଦ୍ଦିକଙ୍କ ସମ୍ପର୍କରେ କହିବା ତାହେଲେ ସେ ୨୦୨୬ ଟି-୨୦ ବିଶ୍ୱକପ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲେ । ବ୍ୟାଟିଂ ଏବଂ ବୋଲିଂରେ କମାଲ କରିଥିବା ପାଣ୍ଡ୍ୟା ୯ ମ୍ୟାଚରେ ୯ ୱିକେଟ୍ ନେଇଥିଲେ । ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ମାତ୍ର ୧୬ ରନ୍ ଦେଇ ଦୁଇଟି ମୂଲ୍ୟବାନ ୱିକେଟ୍ ଅକ୍ତିଆର କରିଥିଲେ । ଏହାସହ ସେ ବ୍ୟାଟିଂରେ ମଧ୍ୟ ବଡ଼ ବଡ଼ ସଟ୍ ମାରିଥିଲେ ।
