ବାରିପଦା; ପବିତ୍ର ଅଶୋକାଷ୍ଟମୀ ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ବଡ଼ଦାଣ୍ଡରେ ଅଶୋକାଝରି (ରୁକୁଣା) ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜ ମାନଙ୍କ ଶାସନ ସମୟରୁ ପାଳିତ ହୋଇ ଆସୁଛି ଏହି ଅଶୋକଝରି ରଥଯାତ୍ରା । ଚଳିତ ବର୍ଷ ଆଡ଼ମ୍ବର ମଧ୍ୟରେ ପାଳିତ ହୋଇଛି ଏହି ରଥଯାତ୍ରା । ଏଠାରେ ଏ ରଥଯାତ୍ରାର ରହିଛି କିଛି ନିଆରା ପରମ୍ପରା । ପରମ୍ପରା ଅନୁଯାୟୀ ଏହି ରଥକୁ କେବଳ କୁନି କୁନି ପିଲା ମାନେ ମିଳିମିଶି ଟାଣିଥାନ୍ତି । ଅଶୋକାଷ୍ଟମୀ ତିଥିର ଅପରାହ୍ନରେ ସ୍ଥାନୀୟ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ବାରିପଦାଙ୍କ ମନ୍ଦିରରୁ ମହାପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ ଓ ଦେବୀ ସୀତା ଚୈତ୍ର ଶୁକ୍ଳପକ୍ଷ ଦିନ ରଥାରୂଢ଼ ହୋଇ ଅଶୋକ ବନକୁ ପରମ୍ପରା ବା ବିଧି ଅନୁଯାୟୀ ଯାତ୍ରା କରିଛନ୍ତି । ସୁସଜ୍ଜିତ ରଥକୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନଙ୍କ ଉପସ୍ଥିତି ଏବଂ ମନ୍ଦିରର ସେବାୟତମାନେ ଶଙ୍ଖ ଘଂଟ-ଘଂଟା-ମୃଦଙ୍ଗ ସହିତ ହରିବୋଲ ସଂକୀର୍ତନ ଓ ହୁଳହୁଳିରେ ବଡ଼ ଜଗନ୍ନାଥ ମନ୍ଦିରରୁ ବଡ଼ଦାଣ୍ଡରେ ଥିବା ଶ୍ରୀ ରାଧାମୋହନ ମନ୍ଦିର ସ୍ଥିତ ମାଉସୀ ମା ମନ୍ଦିର ନିକଟକୁ ବାଳକ ବାଳିକା ମାନେ ଟାଣି ଆଣିଥିଲେ । ଏଥିରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।
