କଟକ: ଶ୍ରୀରାମ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ନୂତନ ଅଧିକ୍ଷକ ଭାବେ ଡକ୍ଟର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏଫ ଏମ ଟି (Forensic Medicine & Toxicology) ବିଭାଗର ବିଭାଗୀୟ ମୁଖ୍ୟ ଭାବେ ଦୀର୍ଘ ଅନୁଭବ ରଖିଛନ୍ତି। ଚିକିତ୍ସା ସେବା, ଶିକ୍ଷା ଓ ପ୍ରଶାସନ ମାମଲାରେ ତାଙ୍କର ଦକ୍ଷତାକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରାଯାଇଛି। ନ୍ୟସ୍ତ କରାଯାଇଥିବା ଦାୟିତ୍ୱ ସମ୍ବନ୍ଧରେ ସଠିକ ଭାବେ ଅବଗତ ହୋଇ ଓ ସମନ୍ୱୟ ରକ୍ଷା ପୂର୍ବକ ସେ ନିଜର କାର୍ଯ୍ୟଭାର ତୁଲାଇବେ ବୋଲି କହିଛନ୍ତି । ହସ୍ପିଟାଲରେ ରୋଗୀ ସେବାକୁ ପ୍ରାଥମିକତା ଦିଆଯିବ ବୋଲି କହିବା ସହ ଯେଉଁଠି କୌଣସି ଅବହେଳା ବା ବ୍ୟବସ୍ଥାଗତ ତ୍ରୁଟି ଥାଏ, ସେଗୁଡ଼ିକୁ ଚିହ୍ନଟ କରି ସମୀକ୍ଷା କରାଯିବା ସହ ଭବିଷ୍ୟତରେ ସେହି ଭୁଲର ପୁନରାବୃତ୍ତି ନ ହେବାକୁ ପ୍ରଶାସନିକ ଓ ପ୍ରାୟୋଗିକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ରାଜ୍ୟର ଏକ ପ୍ରମୁଖ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଭାବେ ଏସ ସି ବି ମେଡ଼ିକାଲ କେଲଜ ହସ୍ପିଟାଲ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଦିଗରେ ପ୍ରତିବଦ୍ଧ ଏବଂ ଆଗକୁ ଏହା ଜାରି ରହିବ ବୋଲି ସେ କହିଛନ୍ତି । ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଦେବା, ସୁବ୍ୟବସ୍ଥିତ ପରିଚାଳନା ଏବଂ ସ୍ୱଚ୍ଛ ପ୍ରଶାସନ ଆମର ପ୍ରାଥମିକ ଲକ୍ଷ୍ୟ ରହିବ।
