ବାରିପଦା /କରଞ୍ଜିଆ; କରଞ୍ଜିଆ ଥାନା ସମ୍ମିଳନୀ କକ୍ଷରେ ପାଞ୍ଚପୀଢ ଉପଖଣ୍ଡର ପୋଲିସ କର୍ମଚାରୀଙ୍କୁ ନେଇ ଦୁଇଦିନିଆ ଟ୍ରାଫିକ୍ ଆଇନ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ପାଞ୍ଚପୀଢ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଓ ସବ୍-ଇନ୍ସପେକ୍ଟର ସୁଧାଂଶୁ ସେଠୀ ଉପସ୍ଥିତ ଥିଲେ। ୟୁପିଡି, ଭୁବନେଶ୍ୱରରୁ ପ୍ରଶିକ୍ଷକ ଭାବେ ଯୋଗଦେଇଥିବା ରଞ୍ଜନ କୁମାର ବେହେରା ଓ ରତିରଞ୍ଜନ ଦଳେଇ ଟ୍ରାଫିକ୍ ଆଇନ, ନିୟମ ପାଳନ ଓ ଟ୍ରାଫିକ୍ ପରିଚାଳନା ସମ୍ପର୍କରେ ପୋଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ କରଞ୍ଜିଆ, ଠାକୁରମୁଣ୍ଡା, ରରୁଆଁ, ମହୁଲଡିହା ଓ ଯଶିପୁର ଥାନାର ମୋଟ ୪୫ ଜଣ ପୋଲିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ସୂଚନା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୧ ତାରିଖରୁ କରଞ୍ଜିଆରେ ଟ୍ରାଫିକ୍ ପୋଲିସ ୟୁନିଟ୍ କାର୍ଯ୍ୟକ୍ଷମ ହେବ ବୋଲି ପାଞ୍ଚପୀଢ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ ସୂଚନା ଦେଇଛନ୍ତି। ଟ୍ରାଫିକ୍ ବ୍ୟବସ୍ଥାକୁ ସୁଦୃଢ଼ ଓ ସୁବ୍ୟବସ୍ଥିତ କରିବା ସହ ସହରରେ ବଢ଼ୁଥିବା ଯାନବାହନ ଚଳାଚଳକୁ ନିୟନ୍ତ୍ରଣ କରିବାରେ ଏହି ୟୁନିଟ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହି ଅବସରରେ କରଞ୍ଜିଆ ବଜାରସ୍ଥିତ ନେତାଜୀ ଛକରେ ଯାତାୟାତ ସମସ୍ୟା ଦୂର କରିବା ପାଇଁ ଛକର ପ୍ରଶସ୍ତୀକରଣ ଓ ଆବଶ୍ୟକ ଭିତ୍ତିଭୂମି ବିକାଶ ନିମନ୍ତେ କରଞ୍ଜିଆ ଏନ୍ଏସି ଏବଂ ପୂର୍ତ୍ତ ବିଭାଗକୁ ଏସ୍ଡିପିଓ ନବକୃଷ୍ଣ ନାଏକ ନିବେଦନ କରିଥିଲେ।
