ବାରିପଦା /ସାହାରପଡା; କେନ୍ଦୁଝର ଜିଲ୍ଲା,ପାଟଣା ବନାଞ୍ଚଳରେ ଘୁରି ବୁଲୁଥିବା ୧୯ ଟିକିଆ ହାତୀପଲରେ ଖୁସିର ଖବର। ହାତୀପଲର ଏକ ମାଈ ହାତୀ ଏକ ନବଜାତ ଶାବକକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଏହାକୁ ନେଇ ଜଙ୍ଗଲ ମଧ୍ୟରେ ହାତୀପଲର ସୁରକ୍ଷା ଏବଂ ନୂଆ ଅତିଥିର ନିରାପତ୍ତା ଏବେ ବନ ବିଭାଗ ପାଇଁ ବଡ଼ ଦାୟିତ୍ୱ ପାଲଟିଛି। ମା’ ହାତୀର ସ୍ନେହର ଛାୟାରେ ନବଜାତ ଶାବକଟି ହାତୀପଲ ସହ ଚଳପ୍ରଚଳ କରୁଥିବା ବେଳେ ଏହାକୁ ନେଇ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ତେବେ ଶାବକର ଉପସ୍ଥିତି ହାତୀପଲକୁ ଆହୁରି ସମ୍ବେଦନଶୀଳ କରିଥିବାରୁ ଏହାର ସୁରକ୍ଷା ଏବେ ସବୁଠାରୁ ବଡ଼ ପ୍ରଶ୍ନ। ବିଶେଷଜ୍ଞଙ୍କ ମତରେ, ନବଜାତ ଶାବକ ଓ ମା’ ହାତୀକୁ କୌଣସି ପ୍ରକାରରେ ଅସୁବିଧା ନହେବା ପାଇଁ ବନ ବିଭାଗକୁ ନିୟମିତ ନଜରଦାରି କରିବା ଆବଶ୍ୟକ। ବିଶେଷକରି ଶାବକ ଥିବା ସମୟରେ ହାତୀପଲକୁ ଅଯଥା ଘଉଡ଼ାଇବା ନେଇ ସତର୍କତା ଅବଲମ୍ବନ କରିବା ଜରୁରୀ। ହାତୀପଲର ଗତିବିଧି ଉପରେ ନିରନ୍ତର ନଜର ରଖି ଆବଶ୍ୟକ ସ୍ଥଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ମତ ପ୍ରକାଶ ପାଇଛି। ଶାବକକୁ ଦେଖିବା ପାଇଁ ଭିଡ଼; ବନ ବିଭାଗର ଚିନ୍ତା ବଢ଼ିଲା ସେପଟେ ନବଜାତ ଶାବକକୁ ଦେଖିବା ପାଇଁ ହାତୀପଲ ନିକଟରେ ଲୋକଙ୍କ ଗହଳି ବଢ଼ୁଥିବା ଜଣାପଡ଼ିଛି। ଏଭଳି ଭିଡ଼ ହାତୀପଲକୁ ବିଚଳିତ କରିବା ସହ ମଣିଷ-ହାତୀ ସଂଘର୍ଷର ଆଶଙ୍କା ବଢ଼ାଇପାରେ। ତେଣୁ ହାତୀପଲ ନିକଟକୁ ଲୋକଙ୍କ ଯାତାୟାତ ରୋକିବା ଏବଂ ଭିଡ଼ ନିୟନ୍ତ୍ରଣ କରିବା ଦିଗରେ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ମା’ ହାତୀର କୋଳରେ ନୂଆ ଜୀବନର ଆଗମନ ପାଟଣା ଜଙ୍ଗଲକୁ ଯେପରି ଏକ ନୂଆ ଆଶା ଦେଇଛି, ସେହିପରି ଏହି ନବଜାତ ଶାବକର ସୁରକ୍ଷିତ ବଢ଼ିବା ଏବେ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ପାଇଁ ଏକ ବଡ଼ ଦାୟିତ୍ୱ।
