ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ସହର ଓ ସଦରବାସୀଙ୍କ ସ୍ୱତନ୍ତ୍ର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ଆଜି ୧୩୧ ଦିନରେ ପହଞ୍ଚିଛି। ପବିତ୍ର କାମଦା ଏକାଦଶୀ ଅବସରରେ ମଧ୍ୟ ସତ୍ୟାଗ୍ରହୀମାନେ ନୀରବତା ଅବଲମ୍ବନ କରି ଶାନ୍ତିପୂର୍ଣ୍ଣ ପଦଯାତ୍ରା କରିଥିଲେ। ଗତ ଅପ୍ରେଲ ୧ ତାରିଖ ଉତ୍କଳ ଦିବସଠାରୁ ପୁରୀ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ପ୍ରତ୍ୟହ ଏହି ନୀରବ ସତ୍ୟାଗ୍ରହ ପଦଯାତ୍ରା ଅନୁଷ୍ଠିତ ହୋଇଆସୁଛି। ହାତରେ ଦାବିର ପ୍ଲାକାର୍ଡ ଧରି, ନୀରବତା ଅବଲମ୍ବନ କରି ପଦଯାତ୍ରୀ ସତ୍ୟାଗ୍ରହୀମାନେ ନିଜ ଦାବି ପ୍ରତି ସରକାର ଓ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି। ପୁରୀବାସୀଙ୍କ ଦୀର୍ଘ ଦିନର ଦାବି ହେଉଛି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରବେଶ ଓ ଦର୍ଶନର ସୁବିଧା। ପୁରୀ ସହର ଓ ସଦର ଅଞ୍ଚଳର ଲୋକମାନେ ନିଜ ଆରାଧ୍ୟ ମହାପ୍ରଭୁଙ୍କୁ ପୂର୍ବପରି ସହଜ ଓ ସୁବିଧାଜନକ ଭାବେ ଦର୍ଶନ କରିପାରିବା ପାଇଁ ଏହି ଦାବି ଉଠାଇଛନ୍ତି। ଦୀର୍ଘ ୧୩୧ ଦିନ ଧରି ସତ୍ୟ ଓ ଅହିଂସାର ପଥରେ ଏହି ଦାବିକୁ ଶାନ୍ତିପୂର୍ଣ୍ଣ ଭାବେ ଜଣାଇ ଆସୁଛନ୍ତି ପଦଯାତ୍ରୀ ସତ୍ୟାଗ୍ରହୀମାନେ।

ରବିବାର ସର୍ବଶ୍ରୀ ହରିଶଙ୍କର ମିଶ୍ର, ଶିବସୁନ୍ଦର ମିଶ୍ର, ବିଶ୍ୱନାଥ ମିଶ୍ର, ସୁକାନ୍ତ ପଣ୍ଡା, ପ୍ରକାଶ ଚନ୍ଦ୍ର ନାୟକ, ଶିଶିରକାନ୍ତ ଶତପଥୀ, ବାସୁଦେବ ଲେଙ୍କା, କିଶୋର ଚନ୍ଦ୍ର ଦାସ, ସନ୍ତୋଷ ସେନାପତି, ନୃସିଂହନାଥ ନାୟକ, ମନୋରଞ୍ଜନ ରଣସିଂହ, ଅରୁଣା ପଟ୍ଟନାୟକ, ମମତା ଦାସ, ସରସ୍ୱତୀ ସାହୁ, ବିପାଶା ସିଂହ, ସୌମ୍ୟା ସାହୁ, ବୈଶାଖୀ ପ୍ରଧାନ, ବର୍ଷା ସାହୁ, ରିତିକା ପ୍ରଧାନ, ରୂପା ବେହେରା, ଇଛା ଦାସ, ଚିକି ସାହୁ, ସିମ୍ରନ ସାହୁ, ମନୀଷା ରାଣୀ, ପ୍ରୀତ ରାଉତ, ମମତା ସ୍ୱାଇଁ, ଯାଦବାନନ୍ଦ ରାୟ, ଅଭିମନ୍ୟୁ ପ୍ରଧାନ, ଲିଙ୍ଗରାଜ ସାହୁ, ପତିତପାବନ ସାମନ୍ତରାୟ, ମାନସ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।ପଦଯାତ୍ରୀ ସତ୍ୟାଗ୍ରହୀମାନେ କହିଛନ୍ତି ଯେ, ଏହି ସଂଘର୍ଷ କୌଣସି ବ୍ୟକ୍ତି, ରାଜନୈତିକ ଦଳ କିମ୍ବା ସରକାର ବିରୋଧରେ ନୁହେଁ। ପୁରୀବାସୀଙ୍କ ଦୀର୍ଘଦିନର ଭାବନା ଓ ମହାପ୍ରଭୁଙ୍କ ଦର୍ଶନ ସହ ଜଡ଼ିତ ଦାବିକୁ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ସରକାର ଓ ପ୍ରଶାସନଙ୍କ ନିକଟରେ ପହଞ୍ଚାଇବା ହିଁ ଏହି ଆନ୍ଦୋଳନର ମୂଳ ଉଦ୍ଦେଶ୍ୟ। ସତ୍ୟ, ଅହିଂସା ଓ ଗଣତାନ୍ତ୍ରିକ ମାର୍ଗରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ନୀରବ ସଂଘର୍ଷ ଜାରି ରହିବ ବୋଲି ସତ୍ୟାଗ୍ରହୀମାନେ କହିଛନ୍ତି।ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “୧୩୧ ଦିନ ଧରି ଆମେ ସତ୍ୟ ଓ ଅହିଂସାର ପଥରେ ଆମର ଦାବି ଜଣାଇଆସୁଛୁ।

ଆମର ଉଦ୍ଦେଶ୍ୟ କାହାକୁ ବିରୋଧ କରିବା ନୁହେଁ। ପୁରୀବାସୀଙ୍କ ମହାପ୍ରଭୁଙ୍କ ଦର୍ଶନ ଅଧିକାର ପୂର୍ବପରି ପୁନଃସ୍ଥାପନ ହେବା ଆମର ଦାବି। ଏହି ଦାବି ପ୍ରତି ସରକାର ଓ ପ୍ରଶାସନ ଦୃଷ୍ଟି ଦେଇ ପୁରୀବାସୀଙ୍କ ଭାବନାକୁ ସମ୍ମାନ ଦେବେ ବୋଲି ଆମର ଆଶା।”ପବିତ୍ର କାମଦା ଏକାଦଶୀରେ ନୀରବ ସତ୍ୟାଗ୍ରହୀ ପଦଯାତ୍ରୀମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୁରୀବାସୀଙ୍କ ଦାବି ଶୀଘ୍ର ପୂରଣ ହେବା ପାଇଁ ପ୍ରାର୍ଥନା କରିଥିଲେ। ପ୍ରତ୍ୟେକ ପୁରୀବାସୀ ନିଜ ଆରାଧ୍ୟ ମହାପ୍ରଭୁଙ୍କୁ ପୂର୍ବପରି ଦର୍ଶନ କରିବାର ସୁଯୋଗ ପାଆନ୍ତୁ—ଏହି ଆଶା ଓ ବିଶ୍ୱାସ ସହ ସତ୍ୟାଗ୍ରହୀମାନେ ଆଜିର ଦିନ ଶେଷ କରିଥିଲେ। ୧୩୧ ଦିନର ନୀରବତା ଏବେ ମଧ୍ୟ ଜାରି ରହିଛି। ପାଦ ଚାଲୁଛି ଅଧିକାର ପାଇଁ, ନୀରବତା କହୁଛି ନ୍ୟାୟ ପାଇଁ ଓ ଆଉ ଆଶା ରହିଛି ମହାପ୍ରଭୁଙ୍କ ଦର୍ଶନ ପାଇଁ।
