ନିମାପଡା: ନିମାପଡା ବ୍ଲକ ଅନ୍ତର୍ଗତ ବାମନାଳ ପଞ୍ଚାୟତର ଓଲମରା ଆମ୍ବିଳିହଣା ଠାରେ ତୃତୀୟ ତ୍ରିନାଥ ପ୍ରିମିୟର ଲିଗ୍ ଦିବା-ରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଜମକଦାର ଭାବେ ଅନୁଷ୍ଠିତ ହୋଇଯାଇଛିନିମାପଡା ଏହି ଟୁର୍ଣ୍ଣାମେଣ୍ଟଟି ଆଇପିଏଲ୍ ଶୈଳୀରେ ଆୟୋଜିତ ହୋଇଥିବା ବେଳେ, ବାମନାଳ ସହିତ ପାଖାପାଖି ୫ଟି ପଞ୍ଚାୟତରୁ ପ୍ରାୟ ୮୦ ଖେଳାଳି ଅଂଶଗ୍ରହଣ କରିଥିଲେ।ଟୁର୍ଣ୍ଣାମେଣ୍ଟରେ ତ୍ରିନାଥ ଇଲେଭେନ୍, ବାରାଳ ଇଲେଭେନ୍, ଶାରଳା ଇଲେଭେନ୍, ଇଗଲ୍ ଇଲାଇଟ୍ ଓ ଚକାଡୋଳା ଇଲେଭେନ୍ ମଧ୍ୟରେ କଟକଣା ପ୍ରତିସ୍ପର୍ଧା ଦେଖିବାକୁ ମିଳିଥିଲା। ଉଦଘାଟନ ଅବସରରେ ପୁରୀ ଜିଲ୍ଲା ବିଜେଡି ମହିଳା ସଭାପତି କସ୍ତୁରିବାଳା ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ସରପଞ୍ଚ ସୁରେନ୍ଦ୍ର ସ୍ୱାଇଁ, ବିଜେଡି ସଭାପତି ଶଶାଙ୍କ ଶେଖର ପାଣି, ଦୀପକ ଦାସ, ସବ୍ୟସାଚୀ ପାଣି, ଗଙ୍ଗାଧର ଓଝା ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ଲିଗ୍ ପର୍ଯ୍ୟାୟରେ ବାରାଳ ଇଲେଭେନ୍ ସୁନ୍ଦର ପ୍ରଦର୍ଶନ କରି ସିଧାସଳଖ ଫାଇନାଲକୁ ପ୍ରବେଶ କରିଥିଲା। ସେମିଫାଇନାଲରେ ତ୍ରିନାଥ ଇଲେଭେନ୍ ଓ ଚକାଡୋଳା ଇଲେଭେନ୍ ମଧ୍ୟରେ ହୋଇଥିବା ରୋମାଞ୍ଚକର ମୁକାବିଲାରେ ତ୍ରିନାଥ ଇଲେଭେନ୍ ବିଜୟୀ ହୋଇ ଫାଇନାଲକୁ ପହଞ୍ଚିଥିଲା।ଫାଇନାଲ ମ୍ୟାଚରେ ତ୍ରିନାଥ ଇଲେଭେନ୍ ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୭ ଉଇକେଟ୍ ହରାଇ ୭୭ ରନ୍ ସଂଗ୍ରହ କରିଥିଲା। ପ୍ରତିଉତ୍ତରରେ ବାରାଳ ଇଲେଭେନ୍ ସମସ୍ତ ଓଭର ଖେଳି ୫ ଉଇକେଟ୍ ହରାଇ କେବଳ ୬୦ ରନ୍ କରିପାରିଥିଲା। ଫଳରେ ତ୍ରିନାଥ ଇଲେଭେନ୍ ୧୭ ରନ୍ରେ ବିଜୟୀ ହୋଇ ମାଧବ ନନ୍ଦ ମୁଦୁଲି ମେମୋରିଆଲ ଟ୍ରଫି ଜିତିଥିଲା।ଟୁର୍ଣ୍ଣାମେଣ୍ଟରେ ବାରାଳ ଇଲେଭେନ୍ର ନିଗମାନନ୍ଦଙ୍କୁ ଶ୍ରେଷ୍ଠ ଖେଳାଳି ଓ ତ୍ରିନାଥ ଇଲେଭେନ୍ ର ରଶ୍ମି ପାଣ୍ଡେଙ୍କୁ ଶ୍ରେଷ୍ଠ ବ୍ୟାଟସ୍ମାନ୍ ଭାବେ ସମ୍ମାନିତ କରାଯାଇଥିଲା। ବିଜେତା ଦଳକୁ ୧୮ ହଜାର ଟଙ୍କା ସହିତ ଟ୍ରଫି ଓ ଉପବିଜେତା ଦଳକୁ ୧୨ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା।ସମଗ୍ର ଆୟୋଜନ ସ୍ଥାନୀୟ ଯୁବକମାନଙ୍କ ଉଦ୍ୟମରେ ସୁଚାରୁ ଭାବେ ସମ୍ପନ୍ନ ହୋଇଥିବା ବେଳେ, ଦର୍ଶକମାନଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖିବାକୁ ମିଳିଥିଲା।
