କାଠମାଣ୍ଡୁ: ପୂର୍ବ ନେପାଳର ଖୋଟାଙ୍ଗ ଜିଲ୍ଲାରେ ଅବତରଣ ସମୟରେ ଏୟାର ଡାଇନେଷ୍ଟି ଦ୍ୱାରା ପରିଚାଳିତ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଆହତ ହୋଇଛନ୍ତି। ହେଲିକପ୍ଟରଟି କାଠମାଣ୍ଡୁରୁ ଏକ ମୃତଦେହ ନେଇ ଯାଉଥିବା ସମୟରେ ଏକ କ୍ଷେତରେ ଖସି ପଡ଼ିଥିଲା ବୋଲି ଜଣାପଡ଼ିଛି। ହେଲିକପ୍ଟରଟି ଚାଷ ଜମିରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ରେକର୍ଡ କରାଯାଇ ନାହିଁ ଏବଂ ଅଧିକ ବିବରଣୀ ଅପେକ୍ଷା କରାଯାଇଛି ବୋଲି ଖୋଟାଙ୍ଗ ଜିଲ୍ଲାର ମୁଖ୍ୟ ଜିଲ୍ଲା ଅଧିକାରୀ ରେଖା କାଣ୍ଡେଲ କହିଛନ୍ତି। ହେଲିକପ୍ଟରଟିରେ ପାଞ୍ଚ ଜଣ ଯାତ୍ରୀଥିଲେ। ପ୍ରାୟ ୧୧:୫୧ରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟର କମ୍ପାନୀ ସୂଚନା ଦେଇଛି ଯେ କେବଳ ଜଣେ ଯାତ୍ରୀ ଆହତ ହୋଇଛନ୍ତି। ହେଲକପ୍ଟର ପାଲଇଟ ଥିଲେ ସାବିନ୍ ଥାପା। ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅବତରଣ ସମୟରେ ପ୍ରବଳ ପବନ କିମ୍ବା ଧୂଳି ଯୋଗୁଁ ଦୁର୍ଘଟଣା ଘଟିଥାଇପାରେ।
