ପୁରୀ: ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି କ୍ରମାଗତ ୧୨୮ତମ ଦିନରେ ପହଞ୍ଚିଛି। ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ଏହି ଅହିଂସାପୂର୍ଣ୍ଣ ଜନ ଆନ୍ଦୋଳନ ଆଜି କେବଳ ପୁରୀବାସୀଙ୍କ ଦାବିର ପ୍ରତୀକ ନୁହେଁ, ବରଂ ଗଣତନ୍ତ୍ରରେ ସତ୍ୟ, ସଂଯମ ଓ ନୈତିକ ସଂଘର୍ଷର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତରେ ପରିଣତ ହୋଇଛି। ଚାରି ମାସରୁ ଅଧିକ ସମୟ ଧରି ଶାନ୍ତି, ଶୃଙ୍ଖଳା ଓ ଅହିଂସାର ପଥରେ ଚାଲୁଥିବା ଏହି ସତ୍ୟାଗ୍ରହ ଆଜି ମଧ୍ୟ ସମାନ ଦୃଢ଼ତାର ସହ ଆଗେଇ ଚାଲିଛି। ପୁରୀବାସୀଙ୍କ ଦାବି ସରଳ, ନ୍ୟାୟସଙ୍ଗତ ଏବଂ ଐତିହାସିକ—ନିଜ ସହରରେ ମହାପ୍ରଭୁଙ୍କୁ ପୂର୍ବପରି ସହଜରେ ଦର୍ଶନ କରିବାର ଅଧିକାର ପୁନଃସ୍ଥାପିତ ହେଉ। କିନ୍ତୁ ଏହି ଦୀର୍ଘ ସମୟ ମଧ୍ୟରେ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସକାରାତ୍ମକ ପଦକ୍ଷେପ ଦୃଶ୍ୟମାନ ହୋଇନାହିଁ, ଯାହା ପୁରୀବାସୀଙ୍କ ମନରେ ଗଭୀର ବେଦନା ଓ କ୍ଷୋଭ ସୃଷ୍ଟି କରିଛି।

ପଦଯାତ୍ରୀ ସତ୍ୟାଗ୍ରହୀମାନଙ୍କ ମତରେ, ଏହି ଆନ୍ଦୋଳନ କୌଣସି ବ୍ୟକ୍ତି, ସଂସ୍ଥା କିମ୍ବା ସରକାର ବିରୋଧରେ ନୁହେଁ। ଏହା ହେଉଛି ନ୍ୟାୟ, ପରମ୍ପରା ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଏକ ଶାନ୍ତିପୂର୍ଣ୍ଣ ସଂଗ୍ରାମ। ଯେଉଁ ଭୂମିର ପ୍ରତ୍ୟେକ କଣିକାରେ ମହାପ୍ରଭୁଙ୍କ ସ୍ମୃତି ଓ ପରମ୍ପରା ବଞ୍ଚି ରହିଛି, ସେହି ପୁରୀର ଲୋକଙ୍କୁ ନିଜ ଆରାଧ୍ୟ ଦେବତାଙ୍କ ଦର୍ଶନ ପାଇଁ ସଂଘର୍ଷ କରିବାକୁ ପଡ଼ିବା ଅତ୍ୟନ୍ତ ବେଦନାଦାୟକ। ଆଜିର ପଦଯାତ୍ରା ଶେଷରେ ସମସ୍ତ ସତ୍ୟାଗ୍ରହୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ପ୍ରାର୍ଥନା କରି କହିଥିଲେ— “ହେ ପତିତପାବନ! ଆମ ହୃଦୟରେ ସତ୍ୟର ଆଲୋକ ଓ ଅହିଂସାର ଶକ୍ତିକୁ ସଦା ଜାଗ୍ରତ ରଖ। ଆମର ଏହି ନୀରବ ପ୍ରାର୍ଥନା ଓ ସଂଘର୍ଷ ଶୀଘ୍ର ନ୍ୟାୟରେ ପରିଣତ ହେଉ। ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ହେଉ ଏବଂ ଶ୍ରୀକ୍ଷେତ୍ରର ଗୌରବ ଓ ପରମ୍ପରା ଅକ୍ଷୁଣ୍ଣ ରହୁ।

ଗୁରୁବାର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଶିବସୁନ୍ଦର ମିଶ୍ର, ଚକ୍ରଧର ମହପାତ୍ର, ଯାଦବାନନ୍ଦ ରାୟ, ନୃସିଂହନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ଶିଶିରକାନ୍ତ ଶତପଥୀ, ସନ୍ଧ୍ୟାରାଣୀ ମିଶ୍ର, ମମତା ଦାସ, ଅରୁଣା ପଟ୍ଟନାୟକ, ମମତା ସ୍ୱାଇଁ, ମନୋରଞ୍ଜନ ରଣସିଂହ, କିଶୋର ଚନ୍ଦ୍ର ଦାସ, ଗଦାଧର ମହାରଣା, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆନ୍ଦୋଳନ ପ୍ରତି ନିଜର ଦୃଢ଼ ସମର୍ଥନ ଜଣାଇଥିଲେ।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, ‘ଆମର ଶକ୍ତି ହେଉଛି ସତ୍ୟ, ଆମର ଅସ୍ତ୍ର ହେଉଛି ଅହିଂସା ଏବଂ ଆମର ପ୍ରେରଣା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ପୁରୀବାସୀଙ୍କ ନ୍ୟାୟସଙ୍ଗତ ଓ ପରମ୍ପରାଗତ ଅଧିକାର ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ନୀରବ ସତ୍ୟାଗ୍ରହ ଅହିଂସାର ପଥରେ ଅବିରତ ଜାରି ରହିବ। ସତ୍ୟକୁ ବିଳମ୍ବ କରାଯାଇପାରେ, କିନ୍ତୁ ପରାଜିତ କରାଯାଇପାରେ ନାହିଁ।
