ବାରିପଦା ; ମୟୂରଭଞ୍ଜ ଜିଲ୍ଲା,ମୋରଡା ବ୍ଲକ,ଚଢେଇ ଗାଁ ରୁ ଆସିଛି ଏକ ଦୁଃଖଦ ଖବର । ପୋଖରୀରେ ଗାଧୋଉଥିବା ବେଳେ ଜଣେ ବୃଦ୍ଧ ପାଣିରେ ବୁଡ଼ି ଯାଇଥିଲେ । ଗତକାଲିଠାରୁ ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ଆଜି ପୋଖରୀରେ ଭାସୁଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧୀନ ଚଢେଇ ଗାଁ ପଞ୍ଚାୟତର ଡାଳଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।ମୃତକ ହେଲେ ଡାଳଗାଁର ବାହାଦୁର ଗଣ୍ଡୁଆର । ସୂଚନା ଅନୁଯାୟୀ, ଗତକାଲି ବାହାଦୁର ଗଣ୍ଡୁଆ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧାନତାବଶତଃ ପାଣିରେ ବୁଡ଼ି ଯାଇଥିଲେ । ପରିବାର ଲୋକେ ଏଣେ ତେଣେ ଖୋଜାଖୋଜି କରି ପାଇନଥିଲେ । ଆଜି ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ବାହାଦୁର ଗଣ୍ଡୁଆର ଙ୍କ ପରିବାର ସଦସ୍ୟଙ୍କୁ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ । ପରେ ଶୁଳିଆପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବୃଦ୍ଧଙ୍କ ଅକାଳ ବିୟୋଗରେ ପରିବାର ଓ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
