ପୁରୀ: ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି କ୍ରମାଗତ ୧୨୭ତମ ଦିନରେ ପହଞ୍ଚିଛି। ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ଏହି ଅହିଂସାପୂର୍ଣ୍ଣ ଆନ୍ଦୋଳନ ଚାରି ମାସରୁ ଅଧିକ ସମୟ ଧରି ଅବିରତ ଜାରି ରହିଛି। ପୁରୀବାସୀ ସମ୍ବିଧାନ, ସତ୍ୟ ଓ ଅହିଂସାର ଆଦର୍ଶକୁ ଆଧାର କରି ନିଜର ଐତିହାସିକ, ପରମ୍ପରାଗତ ଏବଂ ଜନ୍ମସିଦ୍ଧ ଅଧିକାର ପାଇଁ ନିରନ୍ତର ସଂଘର୍ଷ କରୁଛନ୍ତି। ତଥାପି ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସକାରାତ୍ମକ ପଦକ୍ଷେପ ଦୃଶ୍ୟମାନ ନ ହେବା ପୁରୀବାସୀଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି କରିଛି।ସତ୍ୟାଗ୍ରହୀମାନଙ୍କ କହିବା ଅନୁସାରେ, ଗଣତନ୍ତ୍ରରେ ଲୋକଙ୍କ ଶାନ୍ତିପୂର୍ଣ୍ଣ ଓ ସାମ୍ବିଧାନିକ ଆନ୍ଦୋଳନକୁ ସମ୍ମାନ ଦେବା ସରକାରର ନୈତିକ ଦାୟିତ୍ୱ। ଯେତେବେଳେ ଦୀର୍ଘଦିନ ଧରି ଚାଲିଥିବା ଅହିଂସାପୂର୍ଣ୍ଣ ଆନ୍ଦୋଳନକୁ ମଧ୍ୟ ଅଣଦେଖା କରାଯାଏ, ସେତେବେଳେ ଏହା ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପ୍ରଶ୍ନ ସୃଷ୍ଟି କରେ। ପୁରୀବାସୀ କୌଣସି ନୂଆ ସୁବିଧା କିମ୍ବା ବିଶେଷ ଅଧିକାର ଦାବି କରୁନାହାନ୍ତି; ସେମାନେ କେବଳ ପୂର୍ବପରି ମହାପ୍ରଭୁଙ୍କ ଦର୍ଶନର ଅଧିକାର ଫେରି ପାଇବାକୁ ଚାହୁଁଛନ୍ତି।

ଏହି ଦାବି ଶ୍ରୀକ୍ଷେତ୍ରର ଚିରନ୍ତନ ପରମ୍ପରା, ସ୍ଥାନୀୟ ଲୋକଙ୍କ ଭାବାବେଗ ଏବଂ ଐତିହାସିକ ଅଧିକାର ସହ ଜଡ଼ିତ। ଆଜିର ପଦଯାତ୍ରା ଶେଷରେ ସତ୍ୟାଗ୍ରହୀମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ପ୍ରାର୍ଥନା କରି କହିଥିଲେ — “ହେ ମହାପ୍ରଭୁ ! ସତ୍ୟ ଓ ନ୍ୟାୟର ପଥରେ ଚାଲୁଥିବା ପୁରୀବାସୀଙ୍କ ମନୋବଳକୁ ଆହୁରି ସୁଦୃଢ଼ କରନ୍ତୁ। ଆମର ସଂଘର୍ଷ କୌଣସି ବ୍ୟକ୍ତି କିମ୍ବା ପ୍ରତିଷ୍ଠାନ ବିରୋଧରେ ନୁହେଁ, ବରଂ ଅନ୍ୟାୟର ଅବସାନ ପାଇଁ। ତୁମ ଆଶୀର୍ବାଦରେ ସତ୍ୟର ବିଜୟ ହେଉ ଏବଂ ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ ହେଉ। ବୁଧବାର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ପ୍ରକାଶ ଚନ୍ଦ୍ର ନାୟକ, ସନ୍ଧ୍ୟାରାଣୀ ମିଶ୍ର, ମିନାକ୍ଷୀ ଦାସ, ଅରୁଣା ପଟ୍ଟନାୟକ, ମମତା ଦାସ, ମମତା ସ୍ୱାଇଁ, ଯାଦବାନନ୍ଦ ରାୟ, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, କିଶୋର ଚନ୍ଦ୍ର ଦାସ, ଲିଙ୍ଗରାଜ ସାହୁ, ଅଭିମନ୍ୟୁ ପ୍ରଧାନ, ସନ୍ତୋଷ ସେନାପତି, ଗଦାଧର ମହାରଣା, ସୁବାଷ ପଟ୍ଟନାୟକ, ମାନସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସତ୍ୟାଗ୍ରହ ପ୍ରତି ନିଜର ସମର୍ଥନ ବ୍ୟକ୍ତ କରିଥିଲେ।

ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, ‘୧୨୭ ଦିନ ଧରି ପୁରୀବାସୀ ଅହିଂସା, ଶୃଙ୍ଖଳା ଓ ଧୈର୍ଯ୍ୟର ସହ ଏହି ଆନ୍ଦୋଳନକୁ ଆଗେଇ ନେଇଛନ୍ତି। ଆମର ବିଶ୍ୱାସ ହେଉଛି, ସତ୍ୟର ପଥ କଷ୍ଟକର ହୋଇପାରେ, କିନ୍ତୁ ଶେଷରେ ବିଜୟ ସତ୍ୟର ହିଁ ହେବ। ପୁରୀବାସୀଙ୍କ ନ୍ୟାୟସଙ୍ଗତ ଓ ଐତିହାସିକ ଅଧିକାର ପୁନଃସ୍ଥାପନ ନ ହେବା ପର୍ଯ୍ୟନ୍ତ ଆମର ନୀରବ ସତ୍ୟାଗ୍ରହ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ, ଅହିଂସାପୂର୍ଣ୍ଣ ଓ ଦୃଢ଼ ସଂକଳ୍ପ ସହ ଜାରି ରହିବ।
