ପୁରୀ: ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି କ୍ରମାଗତ ୧୨୪ ଦିନରେ ପହଞ୍ଚିଛି। ଦୀର୍ଘ ୧୨୪ ଦିନ ଧରି ପୁରୀବାସୀ ଶାନ୍ତିପୂର୍ଣ୍ଣ, ଅହିଂସାପୂର୍ଣ୍ଣ ଓ ସାମ୍ବିଧାନିକ ପଥରେ ନିଜର ଦାବି ଉପସ୍ଥାପନ କରୁଥିଲେ ମଧ୍ୟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ପାଇଁ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇ ନାହିଁ। ଏହି ନୀରବତା କେବଳ ପ୍ରଶାସନିକ ବିଫଳତା ନୁହେଁ, ବରଂ ପୁରୀବାସୀଙ୍କ ଭାବାବେଗ, ପରମ୍ପରା ଓ ନ୍ୟାୟସଙ୍ଗତ ଅଧିକାର ପ୍ରତି ଅବହେଳାର ଏକ ସ୍ପଷ୍ଟ ପରିଚୟ ବୋଲି ସତ୍ୟାଗ୍ରହୀମାନେ ମତ ପ୍ରକାଶ କରିଛନ୍ତି। ସତ୍ୟାଗ୍ରହୀମାନଙ୍କ କହିବା ଅନୁସାରେ, ଲୋକଙ୍କ ସ୍ୱର ଶୁଣିବାକୁ ଦାବି କରୁଥିବା ସରକାର ଯଦି ୧୨୪ ଦିନ ଧରି ଚାଲିଥିବା ଏକ ସମ୍ପୂର୍ଣ୍ଣ ଅହିଂସାପୂର୍ଣ୍ଣ ଆନ୍ଦୋଳନକୁ ମଧ୍ୟ ଅଣଦେଖା କରନ୍ତି, ତେବେ ତାହା ଗଣତନ୍ତ୍ରର ମୂଳ ଆତ୍ମା ପ୍ରତି ଅସମ୍ମାନ।

ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ପୁରୀବାସୀଙ୍କ ଦୀର୍ଘଦିନର ପରମ୍ପରାଗତ ଦର୍ଶନ ବ୍ୟବସ୍ଥା ପୁନଃସ୍ଥାପନ ପାଇଁ ଆନ୍ତରିକତାର ସହିତ କୌଣସି ସଂଳାପ କିମ୍ବା ସମାଧାନର ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ। ଆଜି ସତ୍ୟାଗ୍ରହୀମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ପ୍ରାର୍ଥନା କରି କହିଥିଲେ, “ହେ କାଳିଆ ସାଆନ୍ତ ! ଆମର ସଂଗ୍ରାମ କୌଣସି ବ୍ୟକ୍ତି ବିରୋଧରେ ନୁହେଁ, ଅନ୍ୟାୟ, ଅବହେଳା ଓ ଅଧିକାର ହରଣ ବିରୋଧରେ। ସତ୍ୟ ଓ ନ୍ୟାୟର ବିଜୟ ହେଉ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପିତ ହେଉ।”ଆଜିର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ହରିଶଙ୍କର ମିଶ୍ର, ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, ଲିଙ୍ଗରାଜ ସାହୁ, ଯାଦବାନନ୍ଦ ରାୟ, ସନ୍ଧ୍ୟାରାଣୀ ମିଶ୍ର, ମମତା ସ୍ୱାଇଁ, ପ୍ରକାଶ ଚନ୍ଦ୍ର ନାୟକ, ମନୋରଞ୍ଜନ ରଣସିଂହ, ଅଭିମନ୍ୟୁ ରାୟଗୁରୁ, ଶିଶିରକାନ୍ତ ଶତପଥୀ, ଗଦାଧର ମହାରଣା, ସନ୍ତୋଷ ସେନାପତି, ପ୍ରଦୀପ୍ତ କୁମାର ମହାନ୍ତି, ସୁବାଷ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନିଜର ସମର୍ଥନ ଜଣାଇଥିଲେ।

ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “୧୨୪ ଦିନର ଅହିଂସାପୂର୍ଣ୍ଣ ସତ୍ୟାଗ୍ରହ ପରେ ମଧ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ନୀରବତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପୁରୀବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ଅଧିକାର କୌଣସି ଦୟା କିମ୍ବା ଅନୁଗ୍ରହ ନୁହେଁ; ଏହା ସେମାନଙ୍କ ଐତିହାସିକ, ପରମ୍ପରାଗତ ଓ ନ୍ୟାୟସଙ୍ଗତ ଅଧିକାର। ଆମେ ସରକାର ଓ ପ୍ରଶାସନଙ୍କୁ ପୁନର୍ବାର ଆହ୍ୱାନ କରୁଛୁ ଯେ, ଆଉ ବିଳମ୍ବ ନକରି ପୁରୀବାସୀଙ୍କ ଅଧିକାର ପୁନଃସ୍ଥାପନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ। ଯେପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ, ସେପର୍ଯ୍ୟନ୍ତ ଆମର ନୀରବ ସତ୍ୟାଗ୍ରହ, ଗଣଜାଗରଣ ଓ ଅହିଂସାପୂର୍ଣ୍ଣ ସଂଗ୍ରାମ ଅବିରତ ଜାରି ରହିବ।
