ବାରିପଦା; ବେତନଟୀ ଲ୍ୟାମ୍ପସ ରେ ୪୦ ଲକ୍ଷ ୯୪ ହଜାର ୩୦୬ ଟଙ୍କା ଆର୍ôଥକ ଅନିୟମିତତା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସଂସ୍ଥାର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ (ଏମଡି) ହିମାଂଶୁ ଦାସଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି । ତାଙ୍କୁ ବାରିପଦାସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି । ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ୨୦୧୭–୧୮ ଆର୍ôଥକ ବର୍ଷରେ ବେତନଟୀ ଲ୍ୟାମ୍ପସର ଏମଡି ଭାବେ କାର୍ଯ୍ୟରତ ଥିବା ସମୟରେ ହିମାଂଶୁ ଦାସ ଚାଷୀମାନଙ୍କ ଠାରୁ କୃଷି ଓ ଫସଲ ଋଣ ପରିଶୋଧ, ସଦସ୍ୟ ଶେୟାର ପୁଞ୍ଜି, ଆବେଦନ ଫି ଏବଂ ପ୍ରଶାସନିକ ଶୁଳ୍କ ବାବଦରେ ବିପୁଳ ପରିମାଣର ଅର୍ଥ ଆଦାୟ କରିଥିଲେ । ସେ ଏହି ଅର୍ଥ ଗ୍ରହଣ ପାଇଁ ଚାଷୀମାନଙ୍କୁ ରସିଦ ମଧ୍ୟ ପ୍ରଦାନ କରିଥିଲେ । ତେବେ ସଂଗୃହୀତ ଅର୍ଥକୁ ସୋସାଇଟିର ଖାତାରେ ଜମା ନକରିବା ସହିତ ସେ ଦିନିକିଆ ହିସାବ ପୁସ୍ତକରେ ଏହାର କୌଣସି ଉଲ୍ଲେଖ କରିନଥିଲେ । ଫଳରେ ସେ ମୋଟ ୪୦.୯୪ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ତଦନ୍ତରୁ ଜଣାପଡ଼ିଛି । ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ନଂ-୧୨, ତାରିଖ ୩୦/୦୭/୨୦୨୬ ମୂଳେ ଦୁର୍ନୀତି ନିବାରଣ ଆଇନ ଓ ଭାରତୀୟ ଦଣ୍ଡବିଧିର ସମ୍ପୃକ୍ତ ଧାରାରେ ମାମଲା ରୁଜୁ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ହିମାଂଶୁ ଦାସଙ୍କୁ ୪ ଏପ୍ରିଲ ୨୦୨୨ରେ ସରକାରୀ ସେବାରୁ ବରଖାସ୍ତ କରାଯାଇଥିଲା । ଭିଜିଲାନ୍ସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଥିବାର ପ୍ରକାଶ ।
